ଆଳି: ଭୋଜି ଖାଇସାରି ଗୋଟିଏ ଘରେ ସାଙ୍ଗ ମାନଙ୍କ ସହ ଶୋଇଥିଲେ । ହେଲେ ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳକଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଇଥାପାଳ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗାଁର ଅଶ୍ୱନୀ ଜେନାଙ୍କ ନାବାଳକ ପୁଅ ଗତକାଲି ବିଳମ୍ବିତ ରାତିରେ ଭୋଜି ଖାଇ ସାରି ନିଜ ଘରେ ଜଣେ ସମ୍ପର୍କୀୟ ଓ ଦୁଇ ଜଣ ସାଙ୍ଗଙ୍କ ସହ ଶୋଇଥିଲେ । ଶୋଇବାର କିଛି ସମୟ ପରେ ଦୁଇ ଜଣ ସାଙ୍ଗ ତାଙ୍କ ଭଉଣୀକୁ ହଠାତ୍ ଡାକିଥିଲେ । ଆଉ ଭଉଣୀ ଆସି ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।
ନିଜ ଭାଇର ମରଶରୀର ଦେଖି ସ୍ତବ୍ଧ ହୋଇଥିଲେ ଭଉଣୀ । ଯୋରରେ ପାଟି କରି ଚିଲାଇଥିଲେ । ତାଙ୍କ ପାଟି ଶୁଣି ଘଟଣାସ୍ଥଳକୁ କିଛି ଲୋକ ଦୌଡି ଆସି ନାବାଳକର ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଅଭିଯୋଗ ଅନୁଯାୟୀ, ଗତକାଲି ମୃତ ନାବାଳକର ଘରେ ବାପା ମାଆ କେହି ନଥିଲେ । କେବଳ ଭଉଣୀ ଓ ଭାଇ ଦୁହେଁ ଥିଲେ । ପାଖରେ ଶୋଇବା ପାଇଁ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀକୁ ଡାକିଥିଲେ ଭାଇ, ଭଉଣୀ । ତେବେ ପରେ ରାତିରେ କିଛି ସାଙ୍ଗ ସବୁ ମିଶିକି ଭୋଜି କରିବା ପାଇଁ କହିଥିଲେ । ହସ ଖୁସିର ସହ ସବୁ ରୋଷେଇ ବାସ କରି ଖାଇଥିଲେ ।
ତେବେ ଯାହା ଶୁଣିବାକୁ ମିଳୁଛି କି, ଭୋଜି କରୁଥିବା ବେଳେ ଘରେ କେହି ମୁରବୀ ନଥିବାର ସୁଯୋଗ ନେଇ ଜଣେ ସାଙ୍ଗ ତାଙ୍କ ସମ୍ପର୍କୀୟ ଭଉଣୀକୁ ଅସଦାଚରଣ କରିଥିଲା । ଯାହା ନାବାଳକ ଜଣଙ୍କ ଦେଖି ଦେଇଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସାଙ୍ଗଟି ଏକଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ନେଇ ମଧ୍ୟ ନାବାଳକକୁ ଧମକ ଦେଇଥିଲା ।
ଏହାପରେ ଗୋଟିଏ ଘରେ ଅନ୍ୟ ଦୁଇ ସାଙ୍ଗ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଘରେ ଶୋଇଥିଲେ ନାବାଳକ । କିନ୍ତୁ ଅସଦାଚରଣ କରିଥିବା ସାଙ୍ଗ ଅନ୍ୟତ୍ର ଚାଲିଯାଇଥିଲା । ହେଲେ ରାତିରେ ନାବାଳକର ମୃତଦେହ ମିଳିଥିଲା ଘର ଭିତରୁ । ତେବେ ନାବାଳକକୁ ହତ୍ୟା କରାଥିବା ନେଇ ଭଉଣୀ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
କେମିତି ଗଲା ନାବାଳକଙ୍କ ଜୀବନ? ବନ୍ଦ ଘରେ କଣ ଘଟିଥିଲା ରାତିରେ? ହତ୍ୟା ନା ଆଉ କିଛି ରହିଛି ଷଡଯନ୍ତ୍ର ? ଏପଟେ ଘଟଣାସ୍ଥଳରେ ପୋଲିସ୍ ପହଁଚି ମରଶରୀର ଜବତ କରିବା ସହିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।