Image 2025 02 23t145748.010

‘ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମ ଅସ୍ମିତାକୁ ଦୃଢ଼ କରିବ’

State

ଭୁବନେଶ୍ୱର: ପରମ୍ପରା ଓ ଆଞ୍ଚଳିକ ଭାଷାର ମହତ୍ତ୍ୱ ଆମର ଅସ୍ମିତାକୁ ଦୃଢ଼ କରିବାରେ ସମର୍ଥ । ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଉଲ୍ଲେଖନୀୟ ବୋଲି ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ଉଲ୍ଲେଖ କରିଛନ୍ତି । ଶନିବାର ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ୱର ସାହିତ୍ୟ ପର୍ବର ଉଦଘାଟନ କରି ପ୍ରଫେସର ଶର୍ମା ଅସ୍ମିତାର ଅଭିବୃଦ୍ଧିକ୍ରମେ କଳା ସାହିତ୍ୟ ସଂସ୍କୃତିର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ।

ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ବୋଧନ ଦେଇ ମାତୃଭାଷାର ବିକାଶ ନିମନ୍ତେ ସାହିତ୍ୟିକମାନଙ୍କର ଗରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ପ୍ରକାଶ କରିଥିଲେ । ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇ ଓଡ଼ିଆ ଓ ସାନ୍ତାଳୀ ସାହିତ୍ୟର ବନ୍ଧୁତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ପ୍ରଫେସର ଯତୀନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ସାହିତ୍ୟ ଆମକୁ ବଂଚିବାର ଅର୍ଥ ଯୋଗାଇ ଦେଇଥାଏ ଓ ଏହି ସୃଜନଶୀଳ ଯାତ୍ରା ଭିବଷ୍ୟତ ପାଇଁ ଶୁଭଙ୍କର ବୋଲି ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ପୌରୋହିତ୍ୟ କରିଥିବାବେଳେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ କବି ଡକ୍ଟର ଗୌତମ ଜେନା ଓ ଚିତ୍ରଶିଳ୍ପୀ ଶ୍ରୀ ପ୍ରଶାନ୍ତ ମାଝୀଙ୍କୁ ଯଥାକ୍ରମେ “କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ” ଓ “ଦିନନାଥ ପାଠୀ ଶିଳ୍ପୀ ସମ୍ମାନ” ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ଶୈଳେନ୍ଦ୍ର କୁମାର ଜେନା, ବିଦ୍ୟୁତ୍‌ପ୍ରଭା ଗନ୍ତାୟତ, ଅଶୋକ ସିଂ ଓ ସୂର୍ଯ୍ୟ ମିଶ୍ରଙ୍କ ପୁସ୍ତକ ସମେତ ଅନୁଷ୍ଠାନର କବିତା ମୁଖପତ୍ର ‘କବିତା-୨୦୨୪’ ଓ ସାହିତ୍ୟ ପର୍ବର ସ୍ମରଣିକା ‘ଆସର’ ଲୋକାର୍ପିତ ହୋଇଥିଲା ।