ବାରିପଦା: ମାତୃଭାଷା ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ମାତୃଭାଷାର ବ୍ୟବହାର ପ୍ରତି ପିଲାମାନଙ୍କୁ ଉତ୍ସାହିତ କରିବା, ସୃଜନଶୀଳତାର ପରିପ୍ରକାଶ କରିବା ଓ ଏହାର ପ୍ରଚାର ପ୍ରସାର ନିମନ୍ତେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ଫେବ୍ରୁୟାରୀ ୨୧ ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି ।
ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟ ଗୁଡିକରେ ପାର୍ଥନସଭାରେ ଶିକ୍ଷକ/ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ଦ୍ଵାରା ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଉନ୍ନୟନ କମିଟିର ସହଯୋଗରେ ମାତୃଭାଷାରେ ସମ୍ବିଧାନ ପ୍ରସ୍ତାବନା ପାଠ ସହିତ ମାତୃଭାଷାର ବହୁଳ ବ୍ୟବହାର ଓ ଏହାର ସଂରକ୍ଷଣ ନିମନ୍ତେ ଶପଥ ପାଠ ର ଆୟୋଜନ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ମାତୃଭାଷାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଅଛି । ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ମଧ୍ୟରେ ମାତୃଭାଷାରେ କାହାଣୀ/ଗପ କହିବା, ଗୀତ ଗାଇବା, ଅଭିନୟ କରିବା, ବହୁଭାଷୀ ଶବ୍ଦ କାର୍ଡ ଖେଳ, ଆଞ୍ଚଳିକ ଭାଷାରେ ଗଳ୍ପ ପୋଷ୍ଟର ପ୍ରସ୍ତୁତ କରିବା, ଅନ୍ତ।କ୍ଷରୀ ଖେଳ ଖେଳିବା ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଆଞ୍ଚଳିକ ଭାଷାରେ ଶବ୍ଦାକ୍ଷରୀ/ଅନ୍ତ।କ୍ଷରୀ ଖେଳ, ଆଞ୍ଚଳିକ ଭାଷାରେ ଚିତ୍ର-ଶବ୍ଦ ଖେଳ, ଆଞ୍ଚଳିକ ଭାଷାରେ କାହାଣୀ/ଗଳ୍ପ କାର୍ଡ ପ୍ରସ୍ତୁତି ଓ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଆଞ୍ଚଳିକ ଭାଷାରେ ଗଳ୍ପ/କବିତା କହିବା, ମାତୃଭାଷାରେ ପଦ୍ୟାନ୍ତରୀ ଖେଳ ଖେଳିବା, ଭିନ୍ନ ଭାଷାରେ ଲେଖକଙ୍କ ଜୀବନୀକୁ ନେଇ ବକ୍ତୃତା ପ୍ରତିଯୋଗିତା, ଆଞ୍ଚଳିକ ଗୀତ ପ୍ରତିଯୋଗିତା, ଭାଷା ପ୍ରଦର୍ଶନୀ, ବହୁଭାଷୀ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଗୁଡିକ ଆୟୋଜନ କରାଯାଇଅଛି ।
ଏହା ସହିତ ବିଦ୍ୟାଳୟରେ ମାତୃଭାଷା ଦିବସ ପାଳନ ଅବସରରେ ମଧ୍ୟାହ୍ନ ଭୋଜନ (ପିଏମ ପୋଷଣ) କାର୍ଯ୍ୟକ୍ରମରେ ମଧ୍ୟାହ୍ନ ଭୋଜନ ସହିତ ପିଲାମାନଙ୍କୁ ଆଞ୍ଚଳିକ ପାରମ୍ପରିକ ଖାଦ୍ୟ ଯଥା- ଖିରୀ, କାକରା, ଖେଚୁଡି ଓ ଅନ୍ୟାନ୍ୟ ପାରମ୍ପରିକ ପିଠା ପରିବେଷଣ କରଯାଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ମୋଟ ୩୮୩୬ ଗୋଟି ସରକାରୀ ବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଯେଉଁ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକ ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ର ପାଇଁ ଶ୍ରେଣୀ କାର୍ଯ୍ୟ ସ୍ଥଗିତ ରହିଛି ଏହାକୁ ପରବର୍ତ୍ତୀ କାର୍ଯ୍ୟ ଦିବସରେ ପାଳନ କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।