ଭୁବନେଶ୍ଵର: କଂଗ୍ରେସର ବରିଷ୍ଠ ନେତାଙ୍କ ସହ ବିଧାୟକଙ୍କୁ ଭେଟିବେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ଅଜୟ ଲଲୁ । ପିସିସି ସଭାପତିଙ୍କ ଉପସ୍ଥିତିରେ ସବୁ ନେତାଙ୍କୁ ଭେଟିବେ ଅଜୟ । ରାଜ୍ୟ କଂଗ୍ରେସର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ । କାହିଁକି କଂଗ୍ରେସ କ୍ଷମତାକୁ ଆସୁନି, କ’ଣ କଲେ କଂଗ୍ରେସ ଆଗେଇବ ସେନେଇ ଆଲୋଚନା କରିବେ ରାଜ୍ୟର ନୂଆ ପ୍ରଭାରୀ ।
ଗତ ଫେବୃଆରୀ ୧୪ ତାରିଖରେ ଅଜୟଙ୍କୁ ରାଜ୍ୟର ନୂଆ କଂଗ୍ରେସ ପ୍ରଭାରୀ ଦାୟିତ୍ଵ ଦିଆଯାଇଥିଲା । ଏହାପରେ କଂଗ୍ରେସର ସଂକଳ୍ପ ଯାତ୍ରାରେ ସାମିଲ ହେବା ପାଇଁ ଗତ ୨୦ ତାରିଖରେ ଭୁବନେଶ୍ଵରରେ ପହଞ୍ଚିଥିଲେ ଅଜୟ । କଂଗ୍ରେସ କର୍ମୀଙ୍କ ସହ ମିଶି ସଂକଳ୍ପ ଯାତ୍ରାରେ ଯାଇଥିଲେ କଂଗ୍ରେସ ପ୍ରଭାରୀ ଅଜୟ ଲଲୁ । ତେବେ ସଂକଳ୍ପ ଯାତ୍ରା ଶେଷ ହେବା ପରେ ଏବେ ଆକ୍ସନ ମୋଡକୁ ଆସିଛି କଂଗ୍ରେସ । ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ବିଧାୟକଙ୍କୁ ଭେଟି ଆଲୋଚନା କରିବେ କଂଗ୍ରେସ ପ୍ରଭାରୀ ଅଜୟ ଲଲୁ ।
କହିରଖୁଛୁ ଯେ, ଅଜୟ କୁମାର ଲଲ୍ଲୁ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ପିସିସି ସଭାପତି । ତାଙ୍କର ବହୁ ଅନୁଭୂତି ରହିଛି , ଅଜୟ ଲଲୁ ପୂର୍ବରୁ ଉତ୍ତରପ୍ରଦେଶ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଭାବେ କାର୍ଯ୍ୟ କରିଛନ୍ତି । ଉତ୍ତରପ୍ରଦେଶରେ ଦୁଇ ଥର ବିଧାୟକ ହୋଇଛନ୍ତି ଲଲୁ ।