ବାରିପଦା – 2022 ଅକ୍ଟୋବର 31 ତାରିଖ ରାତ୍ରିରେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଘା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ କୁ ଦଫା 302 ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଘା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଗୌରମୋହନ ସିଂ(67) l ମାମଲାର ବିବରାଣୀ ରୁ ପ୍ରକାଶ ଯେ ଅଭିଯୁକ୍ତ ଗୌରମୋହନ ପତ୍ନୀ ବୈଶାଖୀ ସିଂ କୁ ଘଟଣା ଦିନ ରାତ୍ରିରେ ଏକ ଧାରୁଆ ଅସ୍ତ୍ର ରେ ଘର ଭିତରେ ଆକ୍ରମଣ କରିଥିଲା l ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା l ତହିଁ ପରଦିନ ସକାଳୁ ଅଭିଯୋଗକାରୀ ତଥା ପୁତ୍ର କମଳାକାନ୍ତ ସିଂ ନିଦରୁ ଉଠି ମା କୁ ଡାକିବାରୁ ସିଏ ଶୁଣିନଥିଲେ l ଫଳରେ କମଳାକାନ୍ତ ରୁମ ଭିତରେ ପଶି ଦେଖିବାରୁ ଦୁଆରମୁହଁ ପାଖରେ ରକ୍ତ ପଡି ଜମାଟ ବାନ୍ଧି ଯାଇଛି l ମା ରକ୍ତ ଜୁଡୁ ବୁଡୁ ହୋଇ ତଳେ ମରିପଡିଅଛି l ଏହି ସମୟରେ ଅଭିଯୁକ୍ତ ଗୌରମୋହନ ଏକ ଠେଙ୍ଗା ଧରି ରୁମ ଭିତରୁ ବାହାରି ପଳାଇଲା l ସଙ୍ଗେ ସଙ୍ଗେ କମଳାକାନ୍ତ ତାର ସମ୍ପର୍କୀୟ ଭାଇ ସନ ସିଂ ଏବଂ ଗ୍ରାମବାସୀ ଙ୍କୁ ଡାକ ପକାଇବାରୁ ସମସ୍ତେ ଆସି ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ କୁ ଖୋଜିଥିଲେ l ମାତ୍ର ଅଭିଯୁକ୍ତ ଫେରାର ହୋଇଯାଇଥିଲା l ଏ ବାବଦରେ କମଳାକାନ୍ତ ସିଂ ଙ୍କ ଅଭିଯୋଗକ୍ରମେ ବୈଶିଙ୍ଘା ଥାନାରେ କେସ ନମ୍ବର 34/1/11/2022 ରେ ଏକ ହତ୍ୟାକାଣ୍ଡ ମାମଲା ତୁଜୁ କରିବା ସହ ଅଭିଯୁକ୍ତ କୁ ଉକ୍ତ ଦିନ ଗିରଫ କରି କୋର୍ଟ ଚଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ 11 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରିଥିଲେ l

