ଆଗରପଡ଼ା :ସ୍ଥାନୀୟ ଆଗରପଡ଼ା ମହାବିଦ୍ୟାଳୟରେ ୱାଇଆରସି ୟୁନିଟ ତରଫରୁ ଏଚ୍ଆଇଭି/ଏଡସ୍ ସଂପର୍କରେ ଯୁବଗୋଷ୍ଠୀଙ୍କୁ ସଚେତନକରିବା ପାଇଁ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ଡ଼. ପୃଥିରାଜ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏଚ୍ଆଇଭି/ଏଡସ୍ ସଂପର୍କରେ ବକ୍ତବ୍ୟ ରଖି ପିଲାଙ୍କୁ ଏହାର କାରଣ,ନିରାକରଣ ଓ ସରକାରୀସ୍ତରରେ ଉପଲବ୍ଧ ହେଉଥିବା ଚିକିତ୍ସା ଓ ସୁବିଧା ସମ୍ବର୍କରେ ଆଲୋକପାତ କରିଥିଲେ । ଯୁବ ରେଡ଼କ୍ରସ କମିଟି ସଦସ୍ୟ ରାଜେନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ୱାଇଆରସି କାଉନସେଲର ସନ୍ଧ୍ୟାରାଣୀ ନାୟକ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଚନ୍ଦ୍ର ପୁରୀ,ମହେଶ୍ୱର ମଲ୍ଲିକ ଏବଂ ପ୍ରେମଲତା ଦାଶ ପିଲାମନେଙ୍କୁ ଏଚ୍ଆଇଭି/ଏଡସ୍ ସଂପର୍କରେ ସଚେତନ କରାଇଥିଲେ ।
ଏହି ଅବସରରେ ୱାଇଆରସି ୟୁନିଟ ଦ୍ୱାରା ଏଚ୍ଆଇଭି/ଏଡସ୍ ସଂପର୍କିତ ଏକ ସାଧାରଣଜ୍ଞାନ ପ୍ରତିଯୋଗିତା କଲେଜ ଛାତ୍ରଛାତ୍ରୀ ଏବଂ ୱାଇଆରସି ସ୍ୱେଚ୍ଛାସେବୀକୁ ନେଇ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ୱାଇଆରସି ୟୁନିଟ ସଦସ୍ୟ ଦେବାଶିଷ ବାରିକ ଓ ଜୟନ୍ତୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ଯୁକ୍ତ ୩ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଅର୍ପିତା ବେଜଙ୍କୁ ବେଷ୍ଟ ସ୍ୱେଚ୍ଛାସେବୀକା ଭାବେ ପୁରସ୍କୃତ କରାଯାଇଥିଲା । ଯୁବ ରେଡ଼କ୍ରସ କମିଟି ସଦସ୍ୟ ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

