Prabhati Parida

କାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

State

ଭୁବନେଶ୍ବର: କାଲିଠୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା ୨୦୨୫ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପ୍ରଥମ ଥର ପାଇଁ ସରକାର ଏଭଳି କିଛି ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ଆସନ୍ତାକାଲି ଠାରୁ ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୨ ଯାଏଁ ଚାଲିବ ।

ତେବେ ଏହା ସୁଭଦ୍ରା ଯୋଜନାକୁ ନେଇ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନା ମେଳା ସୁଭଦ୍ରା ଯୋଜନା ଆଧାରିତ ନୁହେଁ । ଲକ୍ଷପତି ଦିଦି ବନେଇବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ମେଳା ଆୟୋଜିତ କରାଯିବ  । ଏଥିରେ ରାଜ୍ୟବ୍ୟାପୀ ଏସ୍‌ଏଚ୍‌ଜି ମହିଳା ସାମିଲ୍‌ ହେବେ । ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ନୂଆ ରାସ୍ତା ଦେଖାଇବ ବୋଲି ସେ କହିଛନ୍ତି ।

ଏଥିସହିତ ଏସଏଚଜି ମହିଲାଙ୍କୁ ବିଶ୍ବ ସ୍ତରୀୟ ବଜାର ନମିଳିପାରିଥିବାରୁ, ସେମାନଙ୍କ ପାଇଁ ଏଭଳି ଏକ ପ୍ରଦର୍ଶନୀର ଆୟୋଜନ କରୁଛନ୍ତି ସରକାର । ଯେଉଁଥିରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଷ୍ଟଲର ଏଥିରେ ପ୍ରଦର୍ଶନୀ ରହିବ । ଏଥିସହିତ ସୁଭଦ୍ରା ଯୋଜନା ଟଙ୍କା ମାଧ୍ୟମରେ ଯେଉଁମାନେ ବି କିଛି ଉଦ୍ୟୋଗ ଆରମ୍ଭ କରିଥିବେ ସେମାନଙ୍କ ପାଇଁ ବି ଏକ ସ୍ବତନ୍ତ୍ର ଷ୍ଟଲ ରହିବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।