ଭୁବନେଶ୍ବର :
ନିଜର ଭୌଗଳିକ ଅବସ୍ଥିତି ପାଇଁ ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି ଓଡ଼ିଶା । ବିଗତ ୮ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟକୁ ପ୍ରାୟ ୧୭୧୬୬.୪୩କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । ଯାହାକି ୨୦୨୪-୨୫ ରାଜ୍ୟ ଜିଡିପିର ପ୍ରାୟ ୧.୮ ପ୍ରତିଶତ ହେବ ବୋଲି ଆକଳନ ହୋଇଛି । ରାଜ୍ୟ ସରକାର ନିଜର ବଜେଟ୍ ପୁସ୍ତିକାରେ ଏହା ଉଲ୍ଲେଖ କରିବା ସହ ଏହି ଅବଧି ମଧ୍ୟରେ ରାଜକୋଷରୁ ୮୩୪୯.୮୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ମଧ୍ୟ ଦର୍ଶାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାଙ୍କ ସରକାରର ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଆଉ ଏହି ବଜେଟ୍ ସଂକ୍ରାନ୍ତ ପୁସ୍ତିକାରେ ସରକାର ଦର୍ଶାଇଛନ୍ତି ଯେ, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟକୁ ଆର୍ଥିକ କ୍ଷତିର ସହିବାକୁ ପଡ଼ୁଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କେବଳ ଧନଜୀବନ ନଷ୍ଟ ହେଉନି ବରଂ ଏହା ଫସଲ କ୍ଷତି, ଭୂତଳ ଓ ଭୂପୃଷ୍ଠ ଜଳସ୍ତର ହ୍ରାସ, ବେକାର ସଂଖ୍ୟା ବୃଦ୍ଧି, ଦାଦନ ଓ ଋଣଗ୍ରସ୍ତ ସମସ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୨୪-୨୫ ମସିହା ମଧ୍ୟରେ ପ୍ରାୟ ୧୭,୧୬୬କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି । ଯାହାକି ୨୦୨୪-୨୫ ରାଜ୍ୟ ଜିଡିପିର ୧.୮% ହେବ ।
ପ୍ରାକୃତିକ ବିପର୍ଯ୍ୟୟରେ ଆର୍ଥିକ କ୍ଷତି(କୋଟି ଟଙ୍କାରେ)
ମସିହା ବିପର୍ଯ୍ୟୟ ଆର୍ଥିକ କ୍ଷତି ସରକାରଙ୍କ ଖର୍ଚ୍ଚ
୨୦୧୭-୧୮ ମରୁଡ଼ି ଓ ଅଦିନିଆ ବର୍ଷା ୧୩୪୩.୨୫ ୬୨୪.୮୧
୨୦୧୮-୧୯ ବାତ୍ୟା,ବନ୍ୟା ଓ ମରୁଡ଼ି ୪୦୦୮.୭୨ ୧୮୩୧.୬୦
୨୦୧୯-୨୦ ବାତ୍ୟା ୮୬୩୫.୦୧ ୩୭୦୮.୮୫
୨୦୨୦-୨୧ ବାତ୍ୟା ୨୫୪.୨୬ ୧୭୭.୨୦
୨୦୨୧-୨୨ ବାତ୍ୟା ୧୨୩୫.୪୭ ୮୯୫.୯୭
୨୦୨୨-୨୩ ବନ୍ୟା ୫୯୧.୫୭ ୩୮୦.୬୯
୨୦୨୩-୨୪ ବନ୍ୟା ଓ ପ୍ରବଳ ବର୍ଷା ୮୧.୨୬ ୨୧.୪୫
୨୦୨୪-୨୫ ବାତ୍ୟା,ଅଦିନିଆ ବର୍ଷା ୧୦୧୬.୮୯ ୭୦୯.୨୩
ମୋଟ ୧୭୧୬୬.୪୩ କୋଟି ୮୩୪୯.୮୦କୋଟି ଟଙ୍କା
ଉଲ୍ଲେଖଯୋଗ୍ୟ, ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)ରେ ୨୬୦୦କୋଟି ଟଙ୍କା ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡିଆରଏଫ)ରେ ୧୪୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଓଡ଼ିଶା ନିୟମିତ ଭାବେ ବାତ୍ୟା, ବନ୍ୟା, ମରୁଡ଼ି ଓ ଅଦିନିଆ ବର୍ଷା ଆଦି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ୧୯୯୯ର ମହାବାତ୍ୟା ହେଉ ଅବା ୨୦୧୯ର ଫନି ବାତ୍ୟା ସବୁଥିରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟ ରାଜକୋଷ ଉପରେ ଚାପ ମଧ୍ୟ ବଢ଼ୁଛି । ବିରୋଧୀ ଦଳ ଏହି କାରଣ ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ଦାବି କରିବା ସହ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରିଆସୁଛି ।