ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ବୋମା ଏବେ ଭାରତୀୟ ସେୟାର ବଜାରକୁ ବି ଦୋହଲାଇ ଦେଇଛି । ପୁଣିଥରେ ଟ୍ରମ୍ପ ତିନୋଟି ବଡ ସେକ୍ଟରକୁ ଧମକ ଦେଇଛନ୍ତି । ଅଟୋମୋବାଇଲ, ସେମିକଣ୍ଡକ୍ଟର ଓ ଫାର୍ମ ସେକ୍ଟର ଉପରେ ୨୫ ପ୍ରତିଶତ ଆମଦାନୀ କର ଲଗାଇବାକୁ ଧମକ ଦେଇଛନ୍ତି । ହେଲେ ଏହି ଟାରିଫ୍ କେଉଁ କେଉଁ ଦେଶ ଉପରେ ଲାଗିବ ତାହା ଟ୍ରମ୍ପ ସ୍ପଷ୍ଟ କରିନାହାଁନ୍ତି ।
ମାତ୍ର ଏହାର ପ୍ରଭାବ ଏବେ ଭାରତୀୟ ବଜାର ଉପରେ ପଡିଛି । ଏହି ଧମକ ପରେ ଭାରତୀୟ ସେୟାର ବଜାରରେ ଫାର୍ମା ସେକ୍ଟରର ସେୟାର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଛି । ଏହି କ୍ରମରେ ଡ.ରେଡ୍ଡି’ ଏବଂ ଜାଇଡସ ଭଳି କମ୍ପାନୀ ପ୍ରଭାବିତ ହୋଇଛି ।
ଡୋନାଲ୍ଡ ଟ୍ରମ୍ପ ଏବେ ଏବେ ଅଟୋ, ସେମିକଣ୍ଡକ୍ଟର ଓ ଫାର୍ମା ଉତ୍ପାଦ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଯିବା ନେଇ କହିଥିଲେ । ଏହା ପୂର୍ବରୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଷ୍ଟିଲ ଓ ଆଲୁମିନିୟମ ଆମଦାନୀ ଉପରେ ଅତିରିକ୍ତ ଟାରିଫ୍ ଘୋଷଣା କରିସାରିଛନ୍ତି । ଏହା ମାର୍ଚ୍ଚ ୨୦୨୫ ରୁ ଲାଗୁ ହୋଇପାରେ ।
ଟ୍ରମ୍ପଙ୍କ ଟାରିଫର ସବୁଠାରୁ ଖରାପ ପ୍ରଭାବ ଔଷଧ ନିର୍ମାତା କମ୍ପାନୀଗୁଡିକ ଉପରେ ପଡିବାରେ ଲାଗିଛି । ବୁଧବାର ଦିନ ସେୟାର ବଜାର କାରବାର ଆରମ୍ଭରୁ ନିଫ୍ଟି ଫାର୍ମା ଇଣ୍ଡେକ୍ସ ପାଖାପାଖି ୩ ପ୍ରତିଶତ ତଳକୁ ଖସିଛି । ଏହି କ୍ରମରେ ଡ.ରେଡ୍ଡି’ ୫ ପ୍ରତିଶତ ତଳକୁ ଖସିଛି । ସେହିଭଳି ଜାଇଡସ ଲାଇଫସାଇନ୍ସର ସେୟାର ମଧ୍ୟ ୫ ପ୍ରତିଶତ ତଳକୁ ଖସିଛି । ସେହିଭଳି ଅରୋବିନ୍ଦୋ ଫାର୍ମାର ଷ୍ଟକ୍ ମୂଲ୍ୟ ୭ ପ୍ରତିଶତ ହ୍ରାସ ପାଇଛି ।
