ଆଗରପଡ଼ା :ଦିନଥିଲା ଗାଁ ହେଉ ଅବା ସହରର ସାହି ବସ୍ତିରେ ଡାକବାଲାକୁ ଦେଖିଲେ ଲୋକେ ଘରୁ ବାହାରକୁ ଦୌଡି ଆସୁଥିଲେ । ଆମର କିଛି ଚିଠି ପତ୍ର ଆସିଛି କି ସେ ସଂକ୍ରାନ୍ତରେ ପଚାରି ବୁଝୁଥିଲେ । ସମୟ ବଦଳିବା ସହିତ ଲୋକଙ୍କ ସାମାଜିକ ଚଳଣିରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ବିଗତ କିଛି ବର୍ଷ ହେଲା ଚିଠି ପତ୍ରର ସ୍ଥାନ ନେଇଛି ସ୍ମାର୍ଟ ଫୋନ୍ । ଯାହା ଫଳରେ ଡିଜିଟାଲ୍ ଦୁନିଆରେ ଡାକବାକ୍ସ ସାଧାରଣ ଜନତାଙ୍କ ମାନସ ପଟରୁ ଲିଭିବାକୁ ବସିଛି । ଆଉ ଆଗ ଭଳି ଡାକବାକ୍ସର ଚାହିଦା ନଥିବା ଦେଖିବାକୁ ମିଳିଛି । ଏହିଭଳି ପରିସ୍ଥିତିି ଆସି ପହଂଚିଛି ଯେ ଆଗାମୀ କିଛିବର୍ଷ ବର୍ଷ ପରେ ଯୁବପିଢି ଡାକବାକ୍ସ ବିଷୟରେ କହିଲେ ଆଉ କିଛି ବୁଝି ପାରିବେ ନାହିଁ । ସମୟଚକ୍ରରେ ଡାକବାକ୍ସ ସଂଗ୍ରହାଳୟରେ ସ୍ମୃତି ହୋଇ ରହିଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ । ବିଗତ କିଛି ବର୍ଷ ତଳେ ଖବର ପହଂଚାଇବାକୁ ଖୋଜା ପଡ଼ୁଥିଲା ଡାକବାକ୍ସ । ଏବଂ ଭଦ୍ରକ ସହର ତଥା ଏହାର ଆଖପାଖ ଗ୍ରାମାଚଂଳର କୋଣ ଅନୁକୋଣରେ ଥିବା ଡାକଘର ଠାରୁ ଆରମ୍ଭ କରି ବିଭିନ୍ନ ସାହି ବସ୍ତିରେ ଛକ ଜାଗାରେ ଲାଲ୍ ରଙ୍ଗର ଡାକବାକ୍ସ ଶୋଭା ପାଉଥିଲା । କିନ୍ତୁ ଏବେ ଆଉ ଖୋଜିଲେ ବି ପ୍ରାୟତଃ ମିଳୁନି ଡାକବାକ୍ସ । ହାତଗଣତି କିଛି ସ୍ଥାନରେ ପଡି ରହିଛି ଡାକବାକ୍ସ । ସେସବୁରୁ କେତେକ ଭଙ୍ଗା ଦଦରା ଅବସ୍ଥାରେ ଥିବା ବେଳେ ଆଉ କେତେକ ଡାକବାକ୍ସକୁ କଳଙ୍କି ଲାଗିଯାଇଥିବା ଦେଖିବାକୁ ମିଳୁଛି । ସତେ ଯେମିତି ଡାକବାକ୍ସର ଆୟୁଷ ସରିସରି ଆସୁଛି । ଆଗରପଡ଼ା ଉପଡ଼ାକଘର ଅଧିନରେ ୮ଟି ଶାଖା ଡ଼ାକଘର ଥାଇ ସୁଦ୍ଧା ଡ଼ାକବାକ୍ସରେ ଡ଼ାକ ପଡ଼ୁଥିବା ଦେଖିବାକୁ ମିଳୁନି । କେବଳ ପୋଷ୍ଟଅଫିସର ପରିଚୟ ସୃଷ୍ଟି କରୁଛି ଡ଼ାକବାକ୍ସ । ଅତୀତରେ ଖବର ପହଞ୍ଚଚାଇବାର ପ୍ରମୁଖ ମାଧ୍ୟମ ସାଜିଥିବା ଡାକବାକ୍ସ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ସାଇକଲରେ ଚିଠି ଧରି ମାଟିଆ ରଙ୍ଗର ପୋଷାକ ପିନ୍ଧି ଡ଼ାକବାଲର ପରିଚୟ ସୃଷ୍ଟି କରୁଥିବା ଡ଼ାକ କର୍ମଚାରୀଙ୍କୁ ଆଉ ଦେଖିବାକୁ ମିଳୁନି କି ଆଉ ତା ଡ଼ାକ ବି ଶୁଣିବାକୁ ମିଳୁନି । ଆଜିକାଲି ସ୍କାର୍ଟ ଫୋନ ଟେକ୍ନୋଲୋଜିର ଯୁଗ । ଡ଼ାକ ବିଭାଗର ମନିଅର୍ଡର ସ୍ଥାନ ନେଇଛି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଏବଂ ଚିଠିର ସ୍ଥାନ ନେଉଛି ଇ-ମେଲ୍ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ । ତେଣୁ ଆଉ ପୂର୍ବ ଭଳି ଡ଼ାକବାଲା ଓ ଡ଼ାକବାକ୍ସର ଆବଶ୍ୟକ ପଡୁନାହିଁ । ତେଣୁ ସମୟଚକ୍ରରେ ହଜିବାକୁ ବସିଛି ଡ଼ାକବାକ୍ସ ।
