Kii

କ୍ଷମା ମାଗିଲା କିଟ୍, ଆନ୍ଦୋଳନ ବେଳେ ଦୁର୍ବ୍ୟବହାର ପାଇଁ ୩ କର୍ମଚାରୀ ନିଲମ୍ବିତ

State

ଭୁବନେଶ୍ଵର: କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାରକୁ ନେଇ କ୍ଷମା ମାଗିଛନ୍ତି କିଟ୍ କୁଳପତି ପ୍ରଫେସର ଶରଣଜିତ୍ ସିଂ । ଘଟଣାରେ ଦୁଇ ଜଣ ହଷ୍ଟେଲ ଅଧିକାରୀ ଓ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ କିଟ୍ କର୍ତ୍ତୃପକ୍ଷ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଯେଉଁଭଳି ବ୍ୟବହାର କରାଗଲା, ସେନେଇ ଦୁଃଖ ପ୍ରକାଶ କରିଛନ୍ତି । ଦୁଇ ଅଧିକାରୀଙ୍କ ଟିପ୍ପଣୀ ଦାୟିତ୍ବହୀନ ବୋଲି ସେ କହିଛନ୍ତି। ସେମାନଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମନ୍ତବ୍ୟକୁ ସମର୍ଥନ କରୁନାହାନ୍ତି । ସମସ୍ତ ଛାତ୍ରଛାତ୍ରୀ ଓ ନେପାଳ ଲୋକଙ୍କୁ ଭଲ ପାଆନ୍ତି । ଛାତ୍ରଛାତ୍ରୀ ଶୀଘ୍ର ବିଶ୍ବବିଦ୍ୟାଳୟକୁ ଫେରି ପାଠପଢାରେ ଯୋଗ ଦେବାକୁ ଅପିଲ୍ କରାଯାଇଛି।

ଛାତ୍ରୀ ମୃତ୍ୟୁକୁ ନେଇ ଅଶାନ୍ତ ହୋଇଛି କଲେଜ କ୍ୟାମ୍ପସ । ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଳାଇଥିବା ଛାତ୍ରଛାତ୍ରୀଙ୍କୁ ଜବରଦସ୍ତ କ୍ୟାମ୍ପସରୁ ବାହାର କରିଦିଆ ଯାଇଥିବା ଅଭିଯୋଗ ହୋଇଛି । ବିଶ୍ବବିଦ୍ୟାଳୟ ବାହାରେ ଆଜି ଛାତ୍ରଛାତ୍ରୀ ନୀରବ ପ୍ରତିବାଦ କରିଛନ୍ତି । ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି । ସେପଟେ ନେପାଳ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିଧାନସଭାରେ ଉଠିଲା ପ୍ରସଙ୍ଗ

ବିଧାନସଭା ଶୂନ୍ୟକାଳରେ କିଟ୍ ପ୍ରସଙ୍ଗ ଉଠାଇଥିଲେ ବିଜେପି ଓ କଂଗ୍ରେସ ସଦସ୍ୟ । ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ତଦନ୍ତ ନହେଲେ ସେ ପ୍ରତିବାଦରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ସମାନ ପ୍ରସଙ୍ଗ ଉଠାଇ ନିନ୍ଦା କରିଛି ବିଜେପି। ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ବିଜେଡି ଉଦବେଗ ପ୍ରକାଶ କରିଛି ।