ଭୁବନେଶ୍ଵର: ସାରା ରାଜ୍ୟରେ ଏବେ ଚହଳ ପକାଇଛି କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ପରିବାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ଵର ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେଉଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ଛାତ୍ରୀଙ୍କ ବାପା । ନେପାଳରୁ ଡାକିଆଣି ଛାତ୍ରଛାତ୍ରୀମାନଙ୍କୁ କଲେଜ୍ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା ସୁନୀଲ ଲାମସାଲ୍ ।
ସୁନୀଲ ଲାମସାଲ୍ କହିଛନ୍ତି ଯେ, କିଟ୍ ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ ହୋଇଛି । କାର୍ଯ୍ୟକ୍ରମରେ କିଟରେ ପାଠ ପଢ଼ାଅ, ଭଲ ସ୍କୋପ୍ ଅଛି କହୁଥିଲେ । ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ ଏପରିକି ସୁରକ୍ଷା ବ୍ୟବସ୍ଥା ଭଲ ଥିବା ନେଇ ମଧ୍ୟ କହୁଥିଲେ । ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି ସାଙ୍ଘାତିକ ବୟାନ ଦେଇଛନ୍ତି ମୃତ ଛାତ୍ରୀଙ୍କ ବାପା ସୁନୀଲ ଲାମସାଲ୍ ।
ସୁନୀଲ ଆହୁରି ମଧ୍ୟ କହିଛନ୍ତି ଯେ, ଉଚ୍ଚ ଶିକ୍ଷା ପାଇଁ ଝିଅକୁ ଏତେ ଦୂର ପଠାଇଥିଲୁ । ଓଡ଼ିଶା ସରକାର ଓ ପୋଲିସ ଉପରେ ଭରସା ଅଛି । ଆମକୁ ନ୍ୟାୟ ନିଶ୍ଚୟ ମିଳିବ । ମୋ ଝିଅ ତ ଆଉ ନାହିଁ, ହେଲେ ଅନ୍ୟ କେଉଁ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏମିତି ନହେଉ । ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ । ଆଉ ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି କହିଛନ୍ତି ସୁନୀଲ ଲାମସାଲ୍ ।
ସୂଚନା ଅନୁସାରେ, କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହି ବିଟେକ୍ ଦ୍ଵିତୀୟ ବର୍ଷରେ ପଢୁଥିଲେ ମୃତ ଛାତ୍ରୀ । ସେହି ବିଶ୍ଵ ବିଦ୍ୟାଳୟରେ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ୁଥିବା ଅଭିଯୁକ୍ତ ଛାତ୍ର ଅଭିକ ତାଙ୍କ ସହିତ ୩ ବର୍ଷ ଧରି ସମ୍ପର୍କ ରଖିଥିଲା। ଛାତ୍ରୀଙ୍କ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡ଼ିଓ ଅଭିକ ପାଖରେ ଥିଲା। ଏହି ଭିଡ଼ିଓ ଓ ଫଟୋକୁ ପ୍ରଘଟ ପାଇଁ ଧମକ ଦେଇ ଅଭିଯୁକ୍ତ ଛାତ୍ର ତାଙ୍କୁ ବ୍ଲାକମେଲିଂ କରୁଥିଲା। ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲା। ଅସହ୍ୟ ହେବାରୁ ଛାତ୍ରୀ ଜଣକ ରବିବାର ହଷ୍ଟେଲ ରୁମ୍ରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବା ମାତ୍ରେ କ୍ୟାମ୍ପସରେ ଅସନ୍ତୋଷ ଦେଖାଦେଇଥିଲା। ସେମାନେ ମୃତ ଦେହ ଦେଖିବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା। ପ୍ରାୟ ଏକ ହଜାରରୁ ଅଧିକ ନେପାଳୀ ଛାତ୍ରଛାତ୍ରୀ ପ୍ରତିବାଦ ସ୍ୱରୂପ କ୍ୟାମ୍ପସ ନିକଟରେ ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲା ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହିତ ଛାତ୍ରଛାତ୍ରୀ କ୍ୟାମ୍ପସରେ ନାନା ପ୍ରକାର ସ୍ଲୋଗାନ ଦେଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଛାତ୍ରମାନେ ହୋ-ହଲ୍ଲା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ କ୍ୟାମ୍ପସରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପୁଲିସ ପଠାଇଥିଲା।