Cm2 1

୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍

State

ଭୁବନେଶ୍ଵର: ମୋହନ ସରକାର ତାଙ୍କ ଦ୍ବିତୀୟ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି । ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି । ଆସନ୍ତୁ ଜାଣିବା କଣ ରହିଛି ବଜେଟ ଓ କେଉଁ ବିଭାଗକୁ କେତେ ?

କେଉଁ ବିଭାଗକୁ କେତେ?

ଅର୍ଥ ବିଭାଗ- ୬୩, ୫୧୨ କୋଟି ଟଙ୍କା
ସ୍କୁଲ ଓ ଗଣଶିକ୍ଷା – ୩୧, ୧୮୫ କୋଟି ଟଙ୍କା
ପଞ୍ଚାୟତିରାଜ ଓ ପାନୀୟ ଜଳ- ୨୮, ୪୫୨ କୋଟି ଟଙ୍କା
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- ୨୨, ୭୪୧ କୋଟି ଟଙ୍କା
ମହିଳା ଓ ଶିଶୁ ବିକାଶ – ୧୫, ୨୨୨ କୋଟି ଟଙ୍କା
ଜଳ ସମ୍ପଦ ବିଭାଗ- ୧୪, ୮୯୪ କୋଟି ଟଙ୍କା
କୃଷି ଓ କୃଷକ ସଶକ୍ତୀକରଣ- ୧୪, ୭୦୦ କୋଟି ଟଙ୍କା
ପୂର୍ତ୍ତ ବିଭାଗ- ୧୨, ୦୦୦ କୋଟି ଟଙ୍କା
ଗୃହ ବିଭାଗ- ୧୦, ୭୫୯
ଗ୍ରାମ୍ୟ ଉନ୍ନୟନ- ୧୦, ୦୨୦

ଜଳ ଜୀବନ ମିସନକୁ ୨୦୨୮ ଯାଏଁ ବୃଦ୍ଧି

ଜଳ ଜୀବନ ମିସନକୁ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି ସରକାର । ୨୦୨୬ ସୁଦ୍ଧା ରାଜ୍ୟର ସବୁସ୍ଥାନକୁ ପାଇପ୍‌ ଜଳ । ୧୧୫ଟି ସହରରେ ଜଳ ସଂଯୋଗ ମାଧ୍ୟମରେ ରାଜ୍ୟ ସରକାର ପାଣି ଯୋଗାଇବେ।

ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ ହେବ

ଆର୍ଥିକ ବର୍ଷ ୨୦୨୫-୨୬ରେ ରାଜ୍ୟ ସରକାର ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ କରିବେ । ଏହି ଯୋଜନା ମାଧ୍ୟମରେ ସରକାର ସହରାଞ୍ଚଳର ଅଳିଆ ଆବର୍ଜନା ସଫା କରିବେ। ଏଥି ପାଇଁ ୬୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ପର୍ଯ୍ୟଟନସ୍ଥଳୀରେ ଆଧୁନିକ, ପରିବେଶ ଅନୁକୁଳ ସୁବିଧା

ରାଜ୍ୟ ସରକାର ଡେବ୍ରିଗଡ଼, ଶିମିଳିପାଳ, ଚିଲିକା, ମହେନ୍ଦ୍ରଗିରି ଆଦି ସ୍ଥାନ‌ର ବିକାଶ କରିବେ । ପର୍ଯ୍ୟଟକମାନଙ୍କୁ ଆଧୁନିକ ଓ ପରିବେଶ ଅନୁକୁଳ ସୁବିଧା ମିଳିବ। ଚିଲିକାରେ ଏକ ପକ୍ଷୀ ସଂଗ୍ରହାଳୟର ନିର୍ମାଣ କରାଯିବାକୁ ବଜେଟ୍ ରେ ବ୍ୟବସ୍ଥା କରାଯାଇଛି ।

୧୨,୮୮,୦୦୦ ନିଯୁକ୍ତି ସୁଯୋଗ
ରାଜ୍ୟ ସରକାର ଶିଳ୍ପକୁ ଗୁରୁତ୍ବ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମାଧ୍ୟମରେ ଅନେକ ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଛି। ଏହା ଦ୍ବାରା ରାଜ୍ୟରେ ୧୨,୮୮,୦୦୦ ନିଯୁକ୍ତି ସୃଷ୍ଟି ହେବ । ଇଣ୍ଡଷ୍ଟ୍ରିଆଲ ପାର୍କ, ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ରାଜ୍ୟ ସରକାର ଏକ ଶିଳ୍ପ କରିଡ଼ର ନିର୍ମାଣ କରିବେ। ଏହା ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ।

ମହିଳା ଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ବସ୍‌
ରାଜ୍ୟ ସରକାର ସଡ଼କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି । ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୦୦୦୦ ଚାଳକଙ୍କୁ ତାଲିମ ଦେବେ। ମୁଖ୍ୟମନ୍ତ୍ରୀ ବସ୍‌ସେବା ଯୋଜନାରେ ସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ମହିଳା ଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ବସ୍‌ ।

୫୫ ଲକ୍ଷ ଚାଷୀଙ୍କୁ ସମବାୟ ଅଧୀନରେ ଅଣାଯିବ

୨୦୩୬ ସୁଦ୍ଧା ୫୫ ଲକ୍ଷ ଚାଷୀଙ୍କୁ ସମବାୟ ଅଧୀନରେ ଅଣାଯିବାର ଲକ୍ଷ୍ୟ ରଖାଯାଇଛି । ବଜେଟ୍‌ ୨୦୨୫-୨୬ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଏ କଥା କହିଛନ୍ତି । ଚାଷୀମାନଙ୍କୁ ସେମାନଙ୍କର ଉନ୍ନତି ପାଇଁ ସରକାର ସାହାଯ୍ୟ ପ୍ରଦାନ କରିବେ ।

ଏନ୍‌ଏଚ୍‌ଏଆଇ ଢାଞ୍ଚାରେ ଗଠନ ହେବ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ

ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭଳି ହୀରାକୁଦ ଓ ସାତକୋଶିଆରେ ପର୍ଯ୍ୟଟନର ବିକାଶ ହେବ। ଏହି ଦୁଇଟି ସ୍ଥାନର ସ୍ବତନ୍ତ୍ର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବ ଦେଇଛନ୍ତି । ରାଜ୍ୟର ସଡ଼କ ସଂଯୋଗୀ କରଣ ପାଇଁ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ମାଲକାନଗିରିର ମୋଟୁରୁ ମୟୂରଭଂଜ ଜିଲ୍ଲା ତିରିଂକୁ ସଂଯୋଗ କରୁଥିବା ଅଟଳ ଏକ୍ସପ୍ରେସ୍‌ୱେ ଓଡ଼ିଶାର ବିକାଶରେ ସହାୟକ ହେବ। ଭୁବନେଶ୍ବର ପରିବହନ ବ୍ୟବସ୍ଥା ପାଇଁ ଏକ ବୃହତ୍‌ ପ୍ରକଳ୍ପ ପାଇଁ ୧୩,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟର ରାଜପଥଗୁଡ଼ିକୁ ୪ ଥାକିଆ, ଜିଲ୍ଲା ସଡ଼କଗୁଡ଼ିକର ଉନ୍ନତି କରାଯିବ । ବ୍ରହ୍ମପୁର-ଜୟପୁର ୬ ଥାକିଆ ହେବ। ବନ୍ଦର, ପର୍ଯ୍ୟଟନସ୍ଥଳୀ, ରେଳଷ୍ଟେସନ ଓ ବିମାନବନ୍ଦରକୁ ୬ ଥାକିଆ କରାଯିବ। ଏନ୍‌ଏଚ୍‌ଏଆଇ ଢାଞ୍ଚାରେ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଗଠନ ହେବ ।

ମତ୍ସ୍ୟ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲକ୍ଷ୍ୟ

ରାଜ୍ୟ ସରକାର ମତ୍ସ୍ୟ, ପଶୁପାଳନ ପାଳନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ମାଛ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାର ମତ୍ସ୍ୟଜୀବୀଙ୍କ ପାଇଁ ଉପଯୁକ୍ତ ସହାୟତା ପ୍ରଦାନ କରିବେ । ରାଜ୍ୟ ସରକାର ଆକ୍ବାପାର୍କ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି । ନୂତନ ଗୋଶାଳା ପ୍ରତିଷ୍ଠା ଓ ପୁରୁଣା ଗୋଶାଳାକୁ ସହାୟତା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ଗୋ ମାତା ଯୋଜନାରେ ଗୋପାଳକଙ୍କୁ ସହାୟତା ପ୍ରଦାନ କରାଯିବ ଓ ଜାତୀୟ ପଶୁ ସଂପଦ ମିସନକୁ ତୀବ୍ର କରାଯିବ।

କୃଷି ଓ କୃଷକଙ୍କୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର

ରାଜ୍ୟ ସରକାର କୃଷି ଓ କୃଷକଙ୍କର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚାଷୀମାନେ ଏବେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଦେଶରେ ପିଏମ୍‌ କିସାନ ଯୋଜାନରେ ଲାଗୁ ହେବା ଦ୍ବାରା ଓଡ଼ିଶାର ଚାଷୀମାନେ ମଧ୍ୟ ଉପକୃତ ହେଉଛନ୍ତି । ରାଜ୍ୟ ସରକାର ଧାନ ସହ କପା, ବାଜରା, ଡାଲିଜାତୀୟ ଫସଲ, ତୈଳବୀଜ ଓ ପନିପରିବା ଚାଷକୁ ଗୁରୁତ୍ବ ଦେଇଛନ୍ତି । ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଳୁ ମିସନକୁ ସଫଳ କରିବା ପାଇଁ ଚାଷୀମାନଙ୍କୁ ୧ଲକ୍ଷ ୬୦ ହଜାର ବିହନ ଯୋଗାଇ ଦିଆଯାଇଛି । ମିଲେଟ ଚାଷକୁ ଗୁରୁତ୍ବ ଦିଆଯାଇଛି । ୧୭୭ଟି ବ୍ଲକରେ ମିଲେଟ ମିସନ୍‌ ଜାରି ରହିଛି । ରାଜ୍ୟ ସରକାର ଶୀତଳଭଣ୍ଡା ପ୍ରତିଷ୍ଠା କରିବାକୁ ଗୁରୁତ୍ବ ଦେଉଛନ୍ତି। ଏହା ଦ୍ବାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ସ୍ଥାପନ ହେବ । ଏହା ଦ୍ବାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ଉପସ୍ଥାପନ ହୋଇପାରିବ । ଏଥିପାଇଁ ୨୫୨ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ସରକାର ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଆରମ୍ଭ କରିଛନ୍ତି।

ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ସଫଳ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ ଅବସରରେ କହିଛନ୍ତି, ଗତ ମାସରେ ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ସଫଳ ହୋଇଛି ।