ଦପ

ପୂର୍ବତନ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଘଟଣା: ଗୃହରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଜି ଗୃହରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହରେ ଲିଖିତ ଉତ୍ତର ରଖି ଏହି ଘଟଣାରେ ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ଲିଖିତ ଅଭିଯୋଗ ହୋଇନାହିଁ । ମାଡ଼ ଓ ନିର୍ଯାତନା ନେଇ ପୁରୀ ସାମୁଦ୍ରିକ ଥାନାରେ କିଛି ବି ଅଭିଯୋଗ ହୋଇନି । ଗୋଟିଏ ଅନଲାଇନ୍ ଅଭିଯୋଗ ସିସିଟିଏନସି ପୋର୍ଟାଲ ମାଧ୍ୟମରେ ହିଁ ହୋଇଛି । ଏଏସଓ ବୈକୁଣ୍ଠ ପ୍ରଧାନ ପୋର୍ଟାଲରେ ଅଭିଯୋଗ କରିଛନ୍ତି, ତାକୁ ଆଧାର କରି ତଦନ୍ତ ଚାଲିଛି ।

ସୂଚନାଯୋଗ୍ୟ, ବୈକୁଣ୍ଠ ପ୍ରଧାନ ଦାୟର କରିଥିବା ଏତଲା ଅନୁଯାୟୀ, ଗତ ବର୍ଷ ଜୁଲାଇ ୭ ଓ ୮ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହଣି ବ୍ୟବସ୍ଥା ତଦାରଖ ପାଇଁ ତାଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିଲା। କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ। ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଆଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ। ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ନିଜକୁ ଅସହାୟ ମଣି ସେ ଉକ୍ତ ରୁମରୁ ଦୌଡ଼ି ପଳାଇ ଆସି ଆନେକ୍ସ ବିଲିଡିଂରେ ଲୁଚି ରହିବାକୁ ଚେଷ୍ଟା କରିଥିଲେ। ମାତ୍ର ଲଳିତଙ୍କର ଦୁଇଜଣ ପିଏସଓ ତାଙ୍କୁ ଖୋଜି ପୁଣିଥରେ ଲଳିତଙ୍କ ପାଖକୁ ଟେକି ନେଇଯାଇଥିଲେ ଆଉ ସେଠାରେ ତାଙ୍କ ମୁହଁକୁ ଚାପୁଡ଼ା ସହ ଶରୀରର ବିଭିନ୍ନ ଭାଗକୁ ଗୋଇଠା ମାରିଥିଲେ ଏବଂ ଲଳିତ ତାଙ୍କୁ ହତ୍ୟା ପାଇଁ ଧମକ ଦେବା ସହ କେହିବି ତାଙ୍କୁ ବଞ୍ଚାଇ ପାରିବେ ନାହିଁ ବୋଲି ଚେତାବନୀ ଦେଇଥିବା ନେଇ ଏଏସଓ ବୈକୁଣ୍ଠନାଥ ଅଭିଯୋଗ କରିଥିଲେ ।