J47y4ifnj8djzkzawdug

ଅମିତାଭଙ୍କ ଜ୍ବାଇଁଙ୍କ ଉପରେ ଲାଗିଲା ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇଥିବାର ଅଭିଯୋଗ

National & International

ଲକ୍ଷ୍ନୌ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଜ୍ବାଇଁ ନିଖିଲ ନନ୍ଦାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲାର ଦାନଗଞ୍ଜ ପୁଲିସ ଷ୍ଟେସନରେ ନିଖିଲ ନନ୍ଦାଙ୍କ ସମେତ ଟ୍ରାକ୍ଟର କମ୍ପାନର ଅନେକ ଅଧିକାରୀଙ୍କ ବିରୋଧରେ ଠକେଇ ଏବଂ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଭାଇ ଏଭଳି ଅଭିଯୋଗ ଆଣିଛନ୍ତି। ନିଖିଲ ଟ୍ରାକ୍ଟର କମ୍ପାନି ଏସ୍କର୍ଟସ୍ କୁବୋଟାର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ। ମୃତକଜଣକ ହେଲେ ଜିତେନ୍ଦ୍ର ସିଂହ।

ସୂଚନା ମିଳିଛି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ମାମଲା ପଞ୍ଜିକୃତ ହୋଇଛି। ଏଥିରେ କମ୍ପାନିର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ନିଖିଲ ନନ୍ଦାଙ୍କ ସହିତ କମ୍ପାନିର ଉତ୍ତର ପ୍ରଦେଶ ମୁଖ୍ୟ, ଏରିୟା ମ୍ୟାନେଜର, ସେଲ୍ସ ମ୍ୟାନେଜର, ଶାହଜାହାନପୁରର ଜଣେ ଡିଲର ଏବଂ ଅନ୍ୟ ତିନି ଜଣ ଅଧିକାରୀଙ୍କ ନାମ ଉଲ୍ଲେଖ କରାଯାଇଛି। ନିଖିଲ ନନ୍ଦାଙ୍କ ସମେତ ଏହି ସମସ୍ତ ଅଧିକାରୀ ଟ୍ରାକ୍ଟର ଏଜେନ୍ସି ମାଲିକ ଜିତେନ୍ଦ୍ର ସିଂହଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି।

ପାପଡ ହମଜାପୁର ଗ୍ରାମର ବାସିନ୍ଦା ତଥା ଜିତେନ୍ଦ୍ରଙ୍କ ଭାଇ ଜ୍ଞାନେନ୍ଦ୍ର କରିଥିବା ଅଭିଯୋଗରେ ଦାବି କରିଛନ୍ତି ଯେ, ଜିତେନ୍ଦ୍ର ପୂର୍ବରୁ ତାଙ୍କ ସହଯୋଗୀ ଲଲ୍ଲା ବାବୁଙ୍କ ସହିତ ଦାନଗଞ୍ଜରେ ଜୟ କିଷାନ ଟ୍ରେଡର୍ସ ନାମକ ଏକ ଟ୍ରାକ୍ଟର ଏଜେନ୍ସି ଚଳାଉଥିଲେ। କିନ୍ତୁ, ପାରିବାରିକ ବିବାଦ ଯୋଗୁଁ ବାବୁଙ୍କୁ ଜେଲଦଣ୍ଡ ହେବା ପରେ, ଜିତେନ୍ଦ୍ରଙ୍କୁ ଏକାକୀ ଏଜେନ୍ସି ପରିଚାଳନା କରିବାକୁ ପଡ଼ିଥିଲା। ଅଭିଯୁକ୍ତମାନେ ତାଙ୍କ ଉପରେ ବିକ୍ରି ବଢ଼ାଇବା ନେଇ ଚାପ ପକାଇବା ଆରମ୍ଭ କରିଥିଲେ। ଟାର୍ଗେଟ ପୂରଣ ନ ହେଲେ ସେମାନେ ଡିଲରସିପ୍ ଲାଇସେନ୍ସ ବାତିଲ କରି ସମ୍ପତ୍ତି ନିଲାମ କରିବାକୁ ଜିତେନ୍ଦ୍ରଙ୍କୁ ଧମକ ଦେଇଥିଲେ। ବାରମ୍ବର ଏଭଳି ହେବାରୁ ଜିତେନ୍ଦ୍ର ଗତ ବର୍ଷ ନଭେମ୍ବରରେ ନିଜ ଜୀବନ ନେଇଥିଲେ। ପୂର୍ବରୁ ଏନେଇ ଏତଲା ରୁଜୁ ହୋଇଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପରେ କୋର୍ଟ ହସ୍ତକ୍ଷେପ କରିବାରୁ ଏବେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।