ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗ ଦ୍ୱାରା ଏକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । “ଏକ୍ସ୍ପ୍ଲୋରିଙ୍ଗ ୱାଣ୍ଡରସ୍ ଅଫ୍ ଜିଓଲୋଜି” ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଭୂତତ୍ତ୍ୱ ହେଉଛି ସମସ୍ତ ବିଜ୍ଞାନ ବିଷୟର ମୌଳିକ ବିଷୟ କାରଣ ବ୍ରହ୍ମାଣ୍ଡର ଉତ୍ପତ୍ତିଠାରୁ ଆରମ୍ଭ କରି ପୃଥିବୀରେ ଖଣିଜ ପଦାର୍ଥର ଆବିର୍ଭାବ ପର୍ଯ୍ୟନ୍ତ ସବୁଥିରେ ଭୂତତ୍ତ୍ୱ ବିଜ୍ଞାନର ଅବଦାନ ରହିଛି ବୋଲି ମତପ୍ରକାଶ କରିଥିଲେ । ଆଇଆଇଟି ଖଡଗପୁରର ଭୂତତ୍ତ୍ୱ ଏବଂ ଭୂ-ଭୌତିକ ବିଭାଗର ପ୍ରଫେସର ମୃଗାଙ୍ଗ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମସାମୟିକ ଭୂତାତ୍ତ୍ୱିକ ଗବେଷଣା ଉପରେ ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ ଏବଂ ଖଣିଜ ଅନୁସନ୍ଧାନ, ଭୂ-ବିପଦ ଏବଂ ସ୍ଥାୟୀ୍ ପରିଚାଳନାରେ ଉଦୀୟମାନ ଧାରା ଉପରେ ଆଲୋକପାତ କରିଥିଲେ । କୋଲକାତାର ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣର ପୂର୍ବତନ ଉପ-ମହାନିର୍ଦ୍ଦେଶକ ଡକ୍ଟର ଶୁଭ୍ରାଂଶୁ ଭୂଷଣ ରାୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଭୂତାତ୍ତ୍ୱିକ ସର୍ବେକ୍ଷଣ ଏବଂ ଅନୁସନ୍ଧାନରେ ତାଙ୍କର ଅଭିଜ୍ଞତା ଦ୍ୱାରା ଭାବ ବିନିମୟ କରିଥିଲେ । ଆଲୋଚନାଚକ୍ରର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦକ ତଥା ବିଭାଗୀୟ ଅଧ୍ୟାପକ ଡ. ଦେବାଶିଷ ସିଂ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକାରୀ ସମ୍ପାଦିକା ତଥା ବିଭାଗୀୟ ଅଧ୍ୟାପିକା ଡ. ସୁଶ୍ରୀ ସାଗରିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଇସ୍ପାତ ଏବଂ ଖଣି ବିଭାଗର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ମନୋରଞ୍ଜନ ମହାପାତ୍ର, ଇସ୍ପାତ ଏବଂ ଖଣି ବିଭାଗର ଅବସରପ୍ରାପ୍ତ ଭୂତତ୍ତ୍ୱ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ମହାନ୍ତ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଅସୀମ ଅମିତାଭ ପ୍ରଧାନ ଓ ଅନ୍ୟ ବିଶିଷ୍ଟ ଅତିଥିମାନେ ପରିବେଶଗତ ଆହ୍ୱାନ, ସମ୍ବଳ ସଂରକ୍ଷଣ ଏବଂ ପ୍ରଯୁକ୍ତିବିଦ୍ୟାର ଉନ୍ନତିରେ ଭୂତତ୍ତ୍ୱର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରର ଅଂଶଗ୍ରହଣକାରୀ ମାନେ ସୀତାକୁଣ୍ଡ ଓ ବାଲିଡିହା ଡ୍ୟାମ୍ କ୍ଷେତ୍ର ପରିଦର୍ଶନ କରିଥିଲେ ।

