ନୂଆଦିଲ୍ଲୀ: ଆମେରିକା ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରିବା କଥା ଗତ ବର୍ଷ ବିଜେପି ଅଭିଯୋଗ କରିଥିଲା । କିନ୍ତୁ ଏବେ ଖୋଦ ଆମେରିକା ସରକାର ତାହାର ପ୍ରମାଣ ଦେଇଛନ୍ତି । ଏଲନ ମସ୍କଙ୍କ ନେତୃତ୍ବାଧୀନ ଆମେରିକାର ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଭାରତରେ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ଲାଗି ପ୍ରାୟ ୨୧ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୧୮୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହାକୁ ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ବୋଲି ବିଜେପି ସିଧାସଳଖ ଅଭିଯୋଗ କରିଛି ।
ଏହାକୁ ନେଇ ବିଜେପି ମୁଖପାତ୍ର ଅମିତ ମାଲବ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବୋଲି ଅଭିଯୋଗ କରିଛନ୍ତି। ଏଥିରୁ କିଏ ଲାଭବାନ ହେଉଥିଲା ? ନିଶ୍ଚିତ ଭାବେ ଶାସକ ଦଳ ନୁହେଁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଣି ଥରେ ପ୍ରମାଣିତ ହୋଇଛି ଯେ କଂଗ୍ରେସ ଦଳ ଓ ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ଜର୍ଜ ସୋରୋସ୍ ହିଁ ଆମ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଥିଲେ । ସୂଚନାଯୋଗ୍ୟ ଯେ ବର୍ତ୍ତମାନର ଆମେରିକା ସରକାର ଏସବୁ ପାଣ୍ଠି ଯୋଗାଣକୁ ବନ୍ଦ କରିଛନ୍ତି ।
