Lalu 300x166

‘ମହାକୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ’

National & International

ପାଟନା,୧୬।୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। କୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେଶନ ଦୁର୍ଘଟଣାକୁ ସେ ଏକ ଦୁଃଖଦ ଘଟଣା କହିବା ସହ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରେଳବାଇର ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏହା ରେଳବାଇର ବିଫଳତା। ଏଣୁ ରେଳମନ୍ତ୍ରୀ ଦାୟିତ୍ୱ ନେବା ଉଚିତ ବୋଲି ସେ ମତ ରଖିଛନ୍ତି।
ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଦଳାଚକଟା ଘଟି ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଲୀର ଲେଡି ହାର୍ଡିଞ୍ଜ ଏବଂ ଏଲ୍‌ଏନ୍‌ ଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶନିବାର ରାତିରେ ୧୪ ଏବଂ ୧୬ ନମ୍ବର ପ୍ଲାଟଫର୍ମରେ ଏହି ଦୁର୍ଘଟଣା ଘଟିଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ଅଛନ୍ତି। ରେଳମନ୍ତ୍ରୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଦଳାଚକଟାରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ବିହାର ଏବଂ ଦିଲ୍ଲୀର ବାସିନ୍ଦା। ବିହାରର ୯ ଜଣ, ଦିଲ୍ଲୀର ୮ ଜଣ ଏବଂ ହରିୟାଣାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ନୂଆଦିଲ୍ଲୀ ରେଳ ଷ୍ଟେଶନରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଦୁର୍ଘଟଣାର କାରଣ ନେଇ ତଦନ୍ତ କରାଯାଉଛି।
ଏହି ଦଳାଚକଟା ସମ୍ପର୍କରେ ରେଳବାଇର ପ୍ରଥମ ସରକାରୀ ବିବୃତ୍ତି ପ୍ରକାଶ ପାଇଛି। ଉତ୍ତର ରେଳବାଇର ସିପିଆର୍‌ଓ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ଗତକାଲି ଯେତେବେଳେ ଏହି ଦୁଃଖଦ ଘଟଣା ଘଟିଥିଲା, ସେତେବେଳେ ପାଟନା ଅଭିମୁଖେ ଯାଉଥିବା ମଗଧ ଏକ୍ସପ୍ରେସ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୪ ରେ ଏବଂ ଜମ୍ମୁ ଅଭିମୁଖେ ଯାଉଥିବା ଉତ୍ତର ସମ୍ପର୍କ କ୍ରାନ୍ତି ପ୍ଲାଟଫର୍ମ ନମ୍ବର ୧୫ ରେ ଠିଆ ହୋଇଥିଲା।
ଏହି ସମୟରେ, ଜଣେ ଯାତ୍ରୀ ଫୁଟ ଓଭର ବ୍ରିଜ ରୁ ପ୍ଲାଟଫର୍ମ ନମ୍ବର ୧୪-୧୫ କୁ ଯାଉଥିବା ସିଡ଼ିରେ ଖସିପଡ଼ିଲେ ଏବଂ ତାଙ୍କ ପଛରେ ଠିଆ ହୋଇଥିବା ଅନେକ ଯାତ୍ରୀ ଏଥିରେ ଧକ୍କା ଖାଇଲେ । ଏହିଭଳି ଭାବେ ଏହି ଦୁଃଖଦ ଘଟଣା ଘଟିଗଲା। ଏକ ଉଚ୍ଚସ୍ତରୀୟ କମିଟି ଏହାର ତଦନ୍ତ କରୁଛି। ଅଘଟଣ ସତ୍ତ୍ୱେ କୌଣସି ଟ୍ରେନ ବାତିଲ ହୋଇନାହିଁ କିମ୍ବା କୌଣସି ଟ୍ରେନ୍‌ ପ୍ଲାଟଫର୍ମ ପରିବର୍ତ୍ତନ ହୋଇନାହିଁ। ଏବେ ପ୍ଲାଟଫର୍ମରେ ପରିସ୍ଥିତି ସ୍ବାଭାବିକ ଅଛି। ସମସ୍ତ ଟ୍ରେନ ସେମାନଙ୍କର ସାଧାରଣ ସମୟରେ ଚାଲୁଛି।.