ଭୁବନେଶ୍ବର: ପିଲାଟିର ଶିକ୍ଷାର ଏନ୍ତୁଡିଶାଳ ଅଙ୍ଗନବାଡି । ହେଲେ ଆଜି ବି ବିଭିନ୍ନ ଜିଲ୍ଲାରେ ଅବହେଳିତ ଭାବରେ ଅଙ୍ଗନବାଡି ଶିକ୍ଷା ଗ୍ରହଣ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଆଜି ବି ରାଜ୍ୟରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି ଅନ୍ଧାରରେ ରହିଛି । ସେଠିକି ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୧ ହଜାର ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ୩୧ ହଜାର ୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇନାହିଁ । ୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରି ନାହିଁ ବୋଲି ଲିଖିତ ଉତ୍ତର ରଖିଛନ୍ତି ।
ତେବେ ଏବେ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି ତୃତୀୟ ଦିନରେ ଆରମ୍ଭରୁ ଗୃହ ଚାଲିପାରିନଥିଲା । ଦିନ ୧୨ ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ସୁରମା ପାଢୀ ।
ତେବେ ଫେବୃଆରୀ ୧୩ରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଆସନ୍ତା୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଏହି ବଜେଟ ଅଧିବେଶନ ମୋଟ ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ବେଳେ ଏଥିରେ ୨୮ଟି କାର୍ଯ୍ୟ ଦିବସ ରହିଛି । ଫେବୃଆରୀ ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ ।