ଭୁବନେଶ୍ଵର: ୭ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଆଉ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି କଂଗ୍ରେସର ନେତା ଓ କର୍ମୀମାନେ । ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଜୋସ ଭରିଯାଇଛି କଂଗ୍ରେସକୁ ସଶକ୍ତ କରିବାକୁ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ କରିଡରରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସୁରେଶ କୁମାର ରାଉତରାୟ ଓରଫ ସୁର ଭାଇ । ଗତକାଲି ପିସିସି ସଭାପତି ଭକ୍ତଚରଣ ଦାସ ଯେକୌଣସି କାରଣରୁ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ପୁଣି ଥରେ ଘରକୁ ଫେରିଆସିବାକୁ ନିବେଦନ କରିଛନ୍ତି । ଯାହାପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା ହୋଇଛି ।
ସେପଟେ କଂଗ୍ରେସ ଭବନରେ ଆଜି ପହଞ୍ଚି କାନ୍ଦିପକାଇଛନ୍ତି ସୁର । ସୁରଙ୍କ ଉପରୁ ୯ ମାସ ପରେ ନିଲମ୍ବନ ହଟାଇଛନ୍ତି ନୂଆ ପିସିସି ସଭାପତି ଭକ୍ତଚରଣ ଦାସ । ଯେଉଁଥିପାଇଁ ଭାବବିହ୍ଵଳ ହୋଇପଡିଛନ୍ତି ସୁର । ଆଜି କଂଗ୍ରେସ ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ଆସିଲେ ସୁର ରାଉତରାୟ । ସୁରଙ୍କ ଘର ବାହୁଡ଼ା ବେଳେ ତାଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ୯ ମାସ ପରେ ଫେରିବାରୁ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ ସୁର । ଏଥିସହ କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇବା ସହ ଯୁବ କଂଗ୍ରେସକୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ସୁର ।
ସୂଚନାଯୋଗ୍ୟ, ସୁର ହେଉଛନ୍ତି କଂଗ୍ରେସର ଜଣେ ପୁରୁଖା ଓ ଅଭିଜ୍ଞ ନେତା । ସେ ଗତବର୍ଷ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତି ନେଇଥିଲେ । ମାତ୍ର ସାନପୁଅ ବିଜେଡିରୁ ଟିକେଟ ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ବଡପୁଅ ସିଦ୍ଧାର୍ଥ ନିମାପଡାରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ସେପଟେ କିନ୍ତୁ ସାନପୁଅ ପାଇଁ ସୁର ପ୍ରଚାର କରିବା କାରଣରୁ କଂଗ୍ରେସ ତାଙ୍କୁ ନିଲମ୍ବନ କରିଥିଲା । ହେଲେ ନିଲମ୍ବନ ପରେ ବି ସେ ଦଳ ଛାଡ଼ିନଥିଲେ କି ଦଳ ବିରୋଧରେ ପଦେ ହେଲେ ବି କହିନଥିଲେ । ସବୁବେଳେ କଂଗ୍ରେସ ସହ ଅଛି ଓ କଂଗ୍ରେସରେ ହିଁ ମରିବି ବୋଲି କହୁଥିଲେ ସୁର ।