ବଡ଼ହାଟ ତ୍ରିଲୋଚନପୁର ପ୍ରସଙ୍ଗ, ବିଡ଼ିଓଙ୍କ ପତ୍ରକୁ ଗୁରୁତ୍ୱ ଦେଉନାହାନ୍ତି ତହସିଲଦାର

ରାଜ୍ୟ

ଆଗରପଡ଼ା :ଗତ ୨୩ ତାରିଖରେ ‘ପଂଚାୟତ ଗଠନକୁ ୯ବର୍ଷ ପୂରିବ;ବିକାଶଠାରୁ ବହୁ ଦୂରରେ ବଡ଼ହାଟ ତ୍ରିଲୋଚନପୁର’ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବଡ଼ହାଟ ତ୍ରିଲୋଚନପୁରର ବିକାଶରେ ଉପୁଜୁଥିବା ସମସ୍ୟାର ସମାଧାନକୁ ନେଇ ବ୍ଳକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଜାନୁଆରୀ ୩୦ ତାରିଖ (ଗୁରୁବାର) ବିଡ଼ିଓ ନିଶିକାନ୍ତ ଖୁଣ୍ଟିଆ ପଂଚାୟତରେ ଲାଗି ରହିଥିବା ସମସ୍ୟାର ଅନୁଧ୍ୟାନ କରିବା ସହ ସମସ୍ୟା ଯୋଗୁଁ ଅଧପନ୍ତରିଆ ଅବସ୍ଥାରେ ଥିବା ବିଭିନ୍ନ ପ୍ରକଳ୍ପ ସ୍ଥାନକୁ ପରିଭ୍ରମଣରେ ଯାଇ ସମସ୍ୟାକୁ ପରଖିଥିବାର ଜଣାପଡ଼ିଥିଲା । ପରେ ବିଡ଼ିଓ ସେହିଦିନ ଅର୍ଥାତ ୩୦ ତାରିଖ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୦୭ରେ ତହସିଲଦାର,ବନ୍ତଙ୍କୁ ପଂଚାୟତର ସୀମା ଚିହ୍ନଟ କରିବା ସହ ଜବରଦଖଲରେ ଥିବା ଜାଗାକୁ ଜବରଦଖଲ ମୁକ୍ତ କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ସୁରୁଖୁରୁରେ ଆଗେଇ ନେବା ପାଇଁ ଉଚିତ୍ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ । କିନ୍ତୁ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଡ଼ିଓଙ୍କ ପତ୍ରକୁ ୧୫ ଦିନ ପୁରିବାକୁ ବସିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ତାଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ବଜାର ଅଂଚଳରେ ଉକ୍ତ ପଂଚାୟତ ପକ୍ଷରୁ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର ଓ ଏନଏମ ଏବଂ କନିଷ୍ଠଯନ୍ତ୍ରଙ୍କ କ୍ୱାର୍ଟର ସମ୍ମୁଖକୁ ଜବରଦଖଲ ମୁକ୍ତ କରିବା ପାଇଁ ଯଥାଶୀଘ୍ର ବିହିତ ପଦକ୍ଷେପ ନେବା ପାଇଁ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛି । ପଂଚାୟତିରାଜ ବିଭାଗ ପକ୍ଷରୁ ପଂଚାୟତ ପୁନର୍ଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଟି ନୂତନ ପଂଚାୟତ ଗଠନ ଘୋଷଣା କରାଯାଇଥିଲା । ତଦନୁସାରେ ବନ୍ତ ବ୍ଲକ ଅଧିନରେ ୨୫ଟି ପଂଚାୟତ କାର୍ଯ୍ୟ କରିଥିଲା । ତନ୍ନମଧ୍ୟରୁ ପୁରୁଷଣ୍ଢ ପଂଚାୟତକୁ ଭାଗ କରାଯାଇ ବଡ଼ହାଟ ତ୍ରିଲୋଚନପୁର(ବିଟିପୁର)ପଂଚାୟତ ଗଠନ କରାଯାଇଥିଲା । ଇତି ମଧ୍ୟରେ ୯ବର୍ଷ ପୂରିବାକୁ ବସିଥିଲେ ସୁଧା ବିଭାଗୀୟ ଅଧିକାରଙ୍କ ଅଣଦେଖାରୁ ଏହି ପଂଚାୟତ ଗଠନର ଆଭିମୁଖ୍ୟଠାରୁ ବହୁ ଦୂରରେ ରହିଯାଇଛି । ବିଟିପୁର ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୨୦୧୮ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୫ବର୍ଷ ପରେ ଏହା ସଂପୂର୍ଣ୍ଣ ହୋଇଥିଲା । ସେହିପରି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଜନା ମାନ ପ୍ରଣୟନ ହେଉଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଅଣଦେଖାରୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନଥିବା ଜଣାପଡ଼ିଛି । ଏନେଇ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଅଣଦେଖା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଟିପୁର ପଂଚାୟତରେ ଥିବା ଆଗରପଡ଼ାର ବହୁ ପୁରାତନ ଡ଼ାକଘର ଆଜି ପର୍ଯ୍ୟନ୍ତ ଭଡ଼ାଘରେ ଚାଲିଛି । ନିଜସ୍ୱ ଗୃହ ପାଇଁ ସ୍ଥାନ ନିରୂପଣ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ । ସେହିପରି ପ୍ରାଣୀ ଚିକିତ୍ସାଳୟ ଉକ୍ତ ପଂଚାୟତରେ ଥିଲେ ସୁଦ୍ଧା ତାହା ଅବହେଳିତ ଅବସ୍ଥାରେ ଅଛି । ବଜାର ଅଂଚଳରେ ଉକ୍ତ ପଂଚାୟତ ପକ୍ଷରୁ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର ୫ବର୍ଷ ପରେ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଗତ ଜୁଲାଇରେ ବିଟିପୁର ସରପଂଚ ଓ ପଂଚାୟତବାସୀ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାରୀ ଜାଗାର ଆବଶ୍ୟକତା ଥିବାରୁ ଉକ୍ତ ଆବଶ୍ୟକତାକୁ ପୂରଣ ନିମନ୍ତେ ପତ୍ର ମାଧ୍ୟମରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୭ଟି ବିଭିନ୍ନ କାର୍ଯ୍ୟ ପଂଚାୟତ ଊପସ୍ୱାସ୍ଥ୍ୟ କେନ୍ଦ୍ର,ଜଳ ଓ ପରିମଳ ବିଭାଗ କ୍ୱାର୍ଟର,ପଥପ୍ରାନ୍ତ ସୁବିଧା କେନ୍ଦ୍ର(ବିଟିପୁର ସୁଲଭ ଶୌଚାଳୟ ପାଖରେ),ଲକ୍ଷ୍ମୀ ବସ୍‌ଷ୍ଟପ୍‌(ଲକ୍ଷ୍ମୀ ବଜାର ନିକଟରେ),ଶ୍ମଶାନଘାଟ,ନକୁଳ ଚୁଆ ପୋଖରୀ ସୌନ୍ଦର୍ଯ୍ୟକରଣ ଏବଂ ଗ୍ରାମ୍ୟ ଊନ୍ନୟମ ବିଭାଗ ୨ଗୋଟି କାର୍ଯ୍ୟ ଆଦି ପ୍ରକଳ୍ପ ନିର୍ମାଣ ଏବଂ ତତ୍‌ସହିତ ପଂଚାୟତରେ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ସରକାରୀ ଜାଗାର ଆବଶ୍ୟକତାକୁ ଆଖି ଆଗରେ ରଖି ଅପବ୍ୟବହୃତ ସରକାରୀ ଜାଗାକୁ ଖୋଜି ବାହାର କରିବା ସହିତ ଏହାକୁ ପଂଚାୟତକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ମଲ୍ଲିକ ଗତ ଅଗଷ୍ଟ ମାସ ୯ତାରିଖରେ ତହସିଲଦାର,ବନ୍ତଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ । ୫ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଉନ୍ନୟନ ମୂଳକ କାର୍ଯ୍ୟରେ ଜବରଦଖଲ ମଧ୍ୟ ବାଧା ସୃଷ୍ଟି କରୁଥିବାରୁ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ପଂଚାୟତ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅସନ୍ତୋଷ ଦେଖା ଦେଇଛି । ଏସବୁ ସମସ୍ୟା ନେଇ ବନ୍ତ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ବିଟିପୁର ପଂଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସରକାରୀ ଜାଗାର ଆବଶ୍ୟକତା ପୂରଣ ନିମନ୍ତେ ବିଧାୟକଙ୍କ ଅନୁରୋଧ ଉପରେ ବ୍ଳକ ପ୍ରଶାସନ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ ସୁଦ୍ଧା ତାହା କାଗଜକଲମରେ ସୀମିତ ରହିଯାଇଥିବାରୁ ପଂଚାୟତବାସୀ ବାଧ୍ୟ ହୋଇ ଗତ ଜାନୁଆରୀ ମାସ୧୩ ତାରିଖ (ସୋମବାର)ବନ୍ତ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଜିଳ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ସେମାନଙ୍କ ଅଭିଯୋଗକୁ ବିଚାରକୁ ନେଇ ବ୍ଲକ ପ୍ରଶାସନକୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା । ଉକ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ବ୍ଳକ ପ୍ରଶାସନ ପକ୍ଷରୁ ଏହାର ବିକାଶକୁ ନେଇ ତତ୍ପରତା ପ୍ରକାଶ ପାଇଥିଲା ।