ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସ୍ବର୍ଗତ ନବ ଦାସଙ୍କ ରୋଷେୟା ଲଲିତ ସାହୁଙ୍କ ମୃତ୍ୟୁ ମାମଲା କଡ଼ ଲେଉଟାଇଛି। ଲଲିତଙ୍କ ବାପା ବେଲାଲସେନ ସାହୁ ନ୍ୟାୟ ଦାବି କରି ପୁଲିସ୍କୁ ଚିଠି ଲେଖିବା ପରେ ଝାରସୁଗୁଡ଼ା ପୁଲିସ୍ ପୁନଃ ତଦନ୍ତ ଆରମ୍ଭ କରିଥିବା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି। ଏହି ମାମଲାର ତଦନ୍ତରେ ଅନେକ ତ୍ରୁଟି ରହିଥିବା ନେଇ ଖୋଦ୍ ପୁଲିସ୍ ବି ସ୍ବୀକାର କରିଛି।
ସେପଟେ, ପୂର୍ବରୁ ମାମଲାର ତଦନ୍ତକାରୀ ଅଧିକାରୀ ଜଣେ ସବ୍ ଇନ୍ସପେକ୍ଟର ଥିବା ବେଳେ ଏବେ ଜଣେ ଇନ୍ସପେକ୍ଟରଙ୍କୁ ଓ ପୂର୍ବରୁ ଅଧୀକ୍ଷଣ ଦାୟିତ୍ବ ଜଣେ ଡିଏସ୍ପିଙ୍କୁ ଦିଆଯାଇଥିବା ବେଳେ ଏବେ ହେଡ୍କ୍ବାର୍ଟର ଅତିରିକ୍ତ ଏସ୍ପିଙ୍କୁ ଏହି ଦାୟିତ୍ବ ଦିଆଯାଇଛି ବୋଲି ଏସ୍ପି ସ୍ମିତ୍ ପି ପରମାର କହିଛନ୍ତି। କେବଳ ଯେ ଏହି ଅପମୃତ୍ୟୁ ମାମଲା ନୁହେଁ ବରଂ ଲଲିତଙ୍କ ସମେତ ଆହୁରି ଅନ୍ୟ ଲୋକଙ୍କର ଭିସେରା ଶବ ବ୍ୟବଚ୍ଛେଦ ଗୃହରୁ ଚୋରି ହୋଇଯିବା ଘଟଣାର ବି ପୁନଃ ତଦନ୍ତ ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଡେଙ୍ଗବୋରେଇ ଗାଁର ବେଲାଳ ସେନ୍ ସାହୁଙ୍କ ପୁଅ ଲଳିତ ସାହୁ। ସେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନରେ ଘରୋଇ ସହାୟକ ଭାବେ କାମ କରୁଥିଲେ। ସେ ମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷେଇ କରୁଥିଲେ। ୨୦୨୨ ମସିହା ଏପ୍ରିଲ ମାସ ୧୭ ତାରିଖରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ସେହିଦିନ ସଂଧ୍ୟା ୭ଟା ୩୦ ବେଳକୁ ଲଳିତଙ୍କ ମୃତଦେହ ମନ୍ତ୍ରୀଙ୍କ ଝାରସୁଗୁଡ଼ା ବାସଭବନ ପଛ ପଟେ ଥିବା ଷ୍ଟାଫ୍ କ୍ୱାର୍ଟରରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମୃତଦେହଟି ଘର ଭିତରେ ଥିବା ପଙ୍ଖାରୁ ଝୁଲି ରହିଥିବା ଦେଖାଯାଇଥିଲା। ଲଳିତଙ୍କ ଗୋଡ଼ ତଳେ ଲାଗିଥିବା କାରଣରୁ ଏହା ଆତ୍ମହତ୍ୟା କି ନୁହେଁ ବୋଲି ସନ୍ଦେହ ପ୍ରକାଶ ପାଇଥିଲା। କେବଳ ସେତିକି ନୁହେଁ ବରଂ ଏହା ପରର ଘଟଣାକ୍ରମ ଲଲିତଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ ଛିଡ଼ା କରି ଚାଲିଥିଲା। ଝାରସୁଗୁଡ଼ା ଥାନା ପୁଲିସ୍ ତରବରିଆ ଭାବରେ ମୃତଦେହ ଉଦ୍ଧାର କରି ରାତାରାତି ବ୍ୟବଚ୍ଛେଦ କରାଇ ଲଳିତଙ୍କ ନିଜ ଗାଁକୁ ପଠାଇ ଦେଇଥିଲା।