ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ବିତୀୟ ଦିନ । ହେଲେ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ । ବିରୋଧି ବିଜେଡି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟକୁ ଆସି ହଙ୍ଗାମା କରିଛନ୍ତି । ଏମିତିକି ଆଜି ଗୃହ ଆରମ୍ଭରୁ ହିଁ କଡା ଆଭିମୁଖ୍ୟ ଦେଖାଇଥିଲେ ବିରୋଧୀ । ପ୍ରଶ୍ନକାଳ ବି ଠିକ୍ ଭାବରେ ଚାଲିବାକୁ ଦେଇନଥିଲେ । ଯାହାକୁ ନିନ୍ଦା କରିଛି ବିଜେପି ।
ଏନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ପ୍ରଶ୍ନକାଳରେ ବିରୋଧୀଙ୍କ ହଟ୍ଟଗୋଳକୁ ନିନ୍ଦା କରି ଇରାଶିଷ କହିଛନ୍ତି, ପ୍ରସଙ୍ଗ ନଥିବାରୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିରୋଧୀ । ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ । ଏଥିସହିତ ସେ ଏହା ବି କହିଛନ୍ତି, କଂଗ୍ରେସ ଯେଉଁ ମୁଲତବି ପ୍ରସ୍ତାବ ଆଣିବାକୁ ଚାହୁଁଛି, ତାହା ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ପ୍ରଶ୍ନକାଳରେ ବିକ୍ଷୋଭର କୌଣସି ଆବଶ୍ୟକତା ନଥିଲା ।
ତେବେ ଫେବୃଆରୀ ୧୩ରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଆସନ୍ତା୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଏହି ବଜେଟ ଅଧିବେଶନ ମୋଟ ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ବେଳେ ଏଥିରେ ୨୮ଟି କାର୍ଯ୍ୟ ଦିବସ ରହିଛି । ଫେବୃଆରୀ ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ ।
ହେଲେ ଆଜି ଦ୍ବିତୀୟ ଦିନରେ ହିଁ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ରହିଛି । ରାଜ୍ୟରେ ଆଇନଶୃଙ୍ଖଳା ପ୍ରସଙ୍ଗ ଏବହ ଚାଷୀ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ତଳେ ପ୍ରତିବାଦ କରିଛନ୍ତି । ବିଜେଡି ସଦସ୍ୟମାନେ ଚାଷୀମାରଣ ନୀତିକୁ ନେଇ ନାରାବାଜି କରିଛନ୍ତି । ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହ ଚାଲିପାରୁନି । ଏଣୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିବା ବେଳେ ପରେ ପୁଣିଥରେ ୪ଟା ମୁଲତବି ରଖାଯାଇଥିଲା ।