Screenshot 2025 02 14 092934 750

ଜେଲଗଲା କୋଟିପତି ଚୋର ସତୀଶ, ଚୋରି ଟଙ୍କାରେ କରୁଥିଲା ମସ୍ତି

State

ଭୁବନେଶ୍ଵର: ଘଟଣାର ଦୁଇ ସପ୍ତାହର ପରେ ଶେଷରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଚୋରକୁ ଧରିଛି ପୋଲିସ । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଆସି ଭୁବନେଶ୍ବରର ଭିଭିଆଇପି ଅଞ୍ଚଳରୁ ଚୋରି କରିଥିବା ୱାନ୍‌ମ୍ୟାନ୍‌ ଆର୍ମି ତଥା ସ୍ପାଇଡର୍‌ ମ୍ୟାନ୍‌ ଭାବେ ଜଣାଶୁଣା ୩୮ ବର୍ଷିୟ ଲୁଟେରା ସତୀଶ ରେଡ୍ଡୀକୁ ଗିରଫ କରିଛି ପୋଲିସ । ଗିରଫ କରାଯିବା ସହ ତା’ ନିକଟରୁ ୫୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ହୀରା ଓ ସୁନା ଗହଣା, ନଗଦ ୭ ଲକ୍ଷ ଟଙ୍କା ଓ  ଗୋଟିଏ କାର୍‌ ଜବତ କରାଯାଇଛି। ତେବେ ଚୋରି କରିବା ପରଠୁ ସେ ପାଖାପାଖି ୧୫୦ ଗ୍ରାମ୍‌ ଓଜନର ସୁନା ଗହଣା ବିକି ଦେଇଥିବା ଜଣାପଡ଼ିଛି। ୪୦୦ ସିସିଟିଭି ଫୁଟେଜ୍‌, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଓ କେରଳ ପୋଲିସର ସୂଚନା ତଥା ସହଯୋଗ ବଳରେ ଏହି ଅନ୍ତଃରାଜ୍ୟ ସିନ୍ଧିଚୋରକୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ତେବେ ଚୋରି କରି କେବଳ ଯେ ପେଟ ପୋଶୁ ଥିଲା ତା’ ନୁହେଁ । ଚୋରି କରିବା ପାଇଁ ଅନେକ ଫିଟନେସ୍ ମନ୍ତ୍ର ମଧ୍ୟ ଜପୁଥିଲା ଚୋର । ରଖିଥିଲା ନିଜର ବ୍ୟକ୍ତିଗତ ଟ୍ରେନର । ଜିମ୍ ବି ଯାଉଥିଲା, ବଡି ବି ବନଉଥିଲା । କିନ୍ତୁ କାହାରିକୁ ଜଣା ନଥିଲା ଏତେ କସରତର କାରଣ କଣ । ୨୦୧୩ରୁ ଚୋରି ବିଦ୍ୟା ଅଧ୍ୟୟନ କରି ପୁରା ପାରଙ୍ଗମ ହୋଇଯାଇଥିଲା ସ୍ପାଇଡର୍ ସତୀଶ । ୟୁଟ୍ୟୁବ ଦେଖି ବଡ଼ ବଡ଼ିଆଙ୍କ ତଥ୍ୟ ସଂଗ୍ରହ କରିବା ପରେ ଗୁଗୁଲ୍ ମ୍ୟାପ୍ ଦେଖି ଠିକଣା ଜାଗାରେ ପହଞ୍ଚୁଥିଲା । ଆଉ ସୁଉଚ୍ଚ ଅଟ୍ଟାଳିକାର କାନ୍ଥ ହେଉ ଅବା ଛାତ, ତା ଉପରେ ଚଢ଼ି ଚତୁରତାର ସହ ଘରେ ପଶି କଳାକନା ବୁଲାଇ ଖସିଯାଉଥିଲା। କେବଳ ସ୍ପାଇଡର୍ ଟ୍ରେନିଂ ପାଇଁ ଖର୍ଚ୍ଚ କରୁଥିଲା ଦିନକୁ ହଜାର ହଜାର ଟଙ୍କା । ମାସକୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଚୋରି ବିଦ୍ୟା ଅଧ୍ୟୟନ କରୁଥିଲା ।

କେବଳ ଯେ ଚୋରିରେ ପାରଙ୍ଗମ ତା’ ନୁହେଁ । ରୋମିଓ ବୟ ମଧ୍ୟ ଥିଲେ ସତୀଶ । ଗୋଟେ ନୁହେଁ ତିନି ଜଣଙ୍କୁ କରିଥିଲେ ବିବାହ । ଜଣଙ୍କ ପରେ ଜଣଙ୍କୁ ବିବାହକରି ଛାଡପତ୍ର ଦଉଥିଲେ । ପୁଣି ରଚୁଥିଲେ ଅନ୍ୟ ଜଣଙ୍କୁ ବିବାହ କରିବାର ଯୋଜନା । ବିବାହ କଥା ଛାଡ ଅନେକ ଗର୍ଲଫ୍ରେଣ୍ଡ ବି ଅଛି ଚୋର ବାବୁଙ୍କର । ଚୋରି ଟଙ୍କାରେ ଆଲିସାନ୍ କୋଠା କିଣି ସେଠାରେ ୨ ପତ୍ନୀ ଏବଂ ପ୍ରେମିକା ସହ ମଉଜ ମଜଲିସ୍ କରୁଥିଲା ସତୀଶ। ଇଏ ତ ଗଲା ପତ୍ନୀ ଏବଂ ପ୍ରେମିକା କଥା । ଏଥିସହ କୁକୁର ରଖିବାର ସୌକିନ ମଧ୍ୟ ଥିଲେ ବାବୁ । କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ସତୀଶ । ଏପରିକି କୁକୁରଙ୍କ ଖେଳିବା ପାଇଁ ପାଇଁ ଲକ୍ଷେ ଟଙ୍କିଆ “ବଲ” କିଣିଥିଲା । ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା’, ବାଥରେ ମଧ୍ୟ ଟଙ୍କା ଖର୍ଚ୍ଚ କରୁଥିଲା ।