ନୂଆଦିଲ୍ଲୀ: କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସପି ସିଂ ବାଘେଲ ଆଜି ନୂଆଦିଲ୍ଲୀରେ ‘‘ରାଜ୍ୟରେ ପଞ୍ଚାୟତକୁ ଅଧିକାର ହସ୍ତାନ୍ତର ସ୍ଥିତି- ଏକ ସାଂକେତିକ ସାକ୍ଷ୍ୟ ଆଧାରିତ ମାନ୍ୟତା’’ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି।
ଢାଞ୍ଚା, ପରିଚାଳନା, ଅର୍ଥ, ପଦାଧିକାରୀ, କ୍ଷମତା ବୃଦ୍ଧି ଏବଂ ଉତ୍ତରଦାୟିତ୍ୱ ଆଜି ଛଅଟି ବିଭାଗକୁ ଆଧାର କରି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟେସନ (ଆଇଆଇପିଏ) ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୩-୧୪ ତୁଳନାରେ ୨୦୨୧-୨୨ରେ ପଞ୍ଚାୟତଗୁଡ଼ିକୁ ହସ୍ତାନ୍ତର ୩୯.୯%ରୁ ୪୩.୯%କୁ ବୃଦ୍ଧି ପାଇଛି। ସେହିପରି ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ୨୦୧୮ରେ ଆରମ୍ଭ ହେବା ପରେ ପଞ୍ଚାୟତଗୁଡ଼ିକର କ୍ଷମତା ୧୦% ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ସରକାର ପଞ୍ଚାୟତଗୁଡ଼ିକର କ୍ଷମତା ବୃଦ୍ଧି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।
ଦଶଟି ରାଜ୍ୟ ୫୫ ପ୍ରତିଶତରୁ ଅଧିକ ସ୍କୋର ସହିତ ଶୀର୍ଷରେ ରହିଛନ୍ତି। ଓଡ଼ିଶା ୫୦ରୁ ୫୫ ମଧ୍ୟରେ ସ୍କୋର ସହିତ ଦ୍ୱିତୀୟ ବର୍ଗର ସ୍କୋର କରିଥିବା ରାଜ୍ୟ ତାଲିକାରେ ରହିଛି। ତେବେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ସହିତ ଓଡ଼ିଶା ମଧ୍ୟମ ସ୍କୋର କରିଥିବା ରାଜ୍ୟମାନଙ୍କ ମଧ୍ୟରେ ସବୁ ସୂଚକାଙ୍କରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି।
ଢାଞ୍ଚା ସୂଚକାଙ୍କରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଥିବା ବେଳେ ପରିଚାଳନା କ୍ଷେତ୍ରରେ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ଅର୍ଥ ହସ୍ତାନ୍ତର କ୍ଷମତା କ୍ଷେତ୍ରରେ ଓଡ଼ିଶାକୁ ପଞ୍ଚମ ସ୍ଥାନ ମିଳିଛି। ପଦାଧିକାରୀ, କ୍ଷମତା ବୃଦ୍ଧି ଏବଂ ଉତ୍ତରଦାୟିତ୍ୱ କ୍ଷେତ୍ରରେ ଓଡ଼ିଶା ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି।
୭୩ତମ ସମ୍ବିଧାନ ସଂଶୋଧନରେ ପ୍ରତିଷ୍ଠିତ ‘ସ୍ଥାନୀୟ ସରକାର’ର ଦୃଷ୍ଟିକୋଣକୁ ସାକାର କରିବା ସହିତ ଗ୍ରାମ ସ୍ୱରାଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ) ଗୁଡ଼ିକୁ ସଶକ୍ତ କରିବା ଦିଗରେ ଭାରତର ଯାତ୍ରାରେ ଏହି ରିପୋର୍ଟ ଏକ ମାଇଲଖୁଣ୍ଟ। ଏହା ମହାତ୍ମା ଗାନ୍ଧୀଙ୍କ ଆତ୍ମନିର୍ଭରଶୀଳ ଗ୍ରାମ ଗଣତନ୍ତ୍ରର ସ୍ୱପ୍ନକୁ ପ୍ରତିଫଳିତ କରେ। ପ୍ରତ୍ୟେକ ରାଜ୍ୟରେ ପଞ୍ଚାୟତଗୁଡ଼ିକ ସେମାନଙ୍କର ସାମ୍ବିଧାନିକ ଭୂମିକାକୁ ପୂରଣ କରିବା ପାଇଁ କେତେ ଭଲ ଭାବରେ ସଜ୍ଜିତ ଏବଂ ସ୍ଥାନୀୟ ସ୍ୱାୟତ୍ତଶାସନର ଅନୁଷ୍ଠାନ ଭାବରେ ସମ୍ପୂର୍ଣ୍ଣ କାମ କରିବା ନିମନ୍ତେ ବର୍ତ୍ତମାନ କରାଯିବାକୁ ଥିବା କାର୍ଯ୍ୟ ସମ୍ପର୍କରେ ଏହି ରିପୋର୍ଟରେ ଏକ ଗଭୀର ବିଶ୍ଳେଷଣ ପ୍ରଦାନ କରାଯାଇଛି। ପଞ୍ଚାୟତକୁ କ୍ଷମତା ଏବଂ ସମ୍ବଳ ହସ୍ତାନ୍ତର କରିବାରେ ରାଜ୍ୟଗୁଡ଼ିକର ସାମଗ୍ରିକ ପ୍ରଦର୍ଶନକୁ ମାପ କରୁଥିବା ସୂଚକାଙ୍କ ସହିତ, ବିଭିନ୍ନ ଦିଗ ଏବଂ ସୂଚକ ପାଇଁ ଉପ-ସୂଚକାଙ୍କ ସୃଷ୍ଟି କରାଯାଇଛି। ଏହି ଉପ-ସୂଚକାଙ୍କ ପ୍ରତ୍ୟେକ ରାଜ୍ୟକୁ ହସ୍ତାନ୍ତରର ବିଭିନ୍ନ ଦିଗରେ ଏହାର ଆପେକ୍ଷିକ ମାନ୍ୟତା ଦେଖିବାକୁ ଅନୁମତି ଦେଇଥାଏ।
