ହରିହାଟରେ ଧନୁଉତ୍ସବର ଆକର୍ଷଣ : ନଗର ପରିକ୍ରମା କଲେ କଂସ ମହାରାଜ

ରାଜ୍ୟ
ବାରିପଦା  : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଧପୁର ହରିହାଟ ମହୋତ୍ସବର ତୃତୀୟ ଦିନରେ  କଂସ ମହାରାଜଙ୍କ ନଗର ପରିକ୍ରମା ସହିତ ଧନୁ ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି | ପ୍ରତିବର୍ଷ ପରି ମାଘ ମାସ ଶୁକ୍ଳ ପକ୍ଷ ତ୍ରୟଦୋଷୀ ତିଥି ରୁ ଆରମ୍ଭ ହୋଇ ଚାରି ଦିନ ଧରି ଚାଲୁଥିବା ଏହି ମହୋତ୍ସବ ର ତୃତୀୟ ଦିନରେ ପ୍ରାତଃ ରୁ ଭାଗବତ ଗୋସେଇଁଙ୍କ ପହଡ ଭଙ୍ଗାନୀତି ପରେ ସୂର୍ଯ୍ୟ ପୂଜା ଆଳତୀ ଓ ଵିଧି ମୁତାବକ ସମସ୍ତ ନୀତି କାନ୍ତି ସମ୍ପନ୍ନ ହୋଇ ଥିଲା | ଏହା ପରେ ଭାଗବତ ପାଠ ସହିତ,  ଶ୍ରଦ୍ଧାଳୁ ଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଥିଲା |
ପୀଠରେ ଦିବସ ବ୍ୟାପୀ ଭଜନ କୀର୍ତ୍ତନ ଜାରି ରହିଥିବା ବେଳେ ମଧ୍ୟାହ୍ନ ରେ ଭାଗବତ ଗୋସେଇଁ ଙ୍କ ନିକଟରେ ଅରୁଆ ଖେଚୁଡ଼ି ଅନ୍ନ, କ୍ଷୀରି ଭୋଗ ଲାଗି ପରେ ସମସ୍ତ ଗ୍ରାମବାସୀ ଙ୍କ ସମେତ ଶ୍ରଦ୍ଧାଳୁ ଓ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ଆନନ୍ଦ ବଜାର ରେ ପ୍ରସାଦ ବିତରଣ ହୋଇଥିଲା | ଅପରାହ୍ନ ରେ କଂସ ମହାରାଜ ଏକ ସୁସଜ୍ଜିତ ରଥରେ ବସି ନଗର ପରିକ୍ରମା କରିଥିଲେ |  କଂସ ମହାରାଜ ଙ୍କ ଠାଣି ଓ ପରାକ୍ରମ ର ଝଲକ ଦେଖିବାକୁ ଦର୍ଶକ ଙ୍କ ଭିଡ଼ ଜମିଥିଲା | ଏହି ଅବସରରେ କଂସ ମହାରାଜ ଙ୍କ ଅଟ୍ଟହାସ୍ୟ ଯୁକ୍ତ ସଂଳାପ ଓ ଆଦେଶ ଭୟ ସଂଚାର କରୁଥିବା ବେଳେ ଭିନ୍ନ ଏକ ଧନୁଯାତ୍ରା ର ମାହୋଲ ଦେଖିବାକୁ ମିଳିଥିଲା | ସେପଟେ ଅକ୍ରୁର ର ଙ୍କ ଦ୍ୱାରା ଚାଳିତ ରଥରେ କୃଷ୍ଣ ଓ ବଳରାମ ଙ୍କୁ ଦେଖି ଦର୍ଶକ ଭାବ ବିହ୍ଵଳ ହୋଇ ଥିଲେ | କଂସ ମହାରାଜ, ଅକ୍ରୁର ଓ କୃଷ୍ଣ ବଳରାମ ଙ୍କ ଏହି ପରିକ୍ରମା ସମୟରେ ସ୍ଥାନେ ସ୍ଥାନେ ମହିଳା ମାନେ ଶଙ୍ଖ ହୁଳ ହୁଳି ଦେଇ ଧୂପ ଦୀପ ଓ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରୁ ଥିବା ଦେଖିବାକୁ ମିଳିଥିଲା |
ମାଘ ପୂର୍ଣ୍ଣମୀ ବା ଅଗିରା ପୂର୍ଣ୍ଣମୀ ଅବସରରେ ଵିଧି ମୁତାବକ ସଂକୀର୍ତ୍ତନ ସହିତ ଅଗ୍ନିଉତ୍ସବ ପାଳିତ ହୋଇଥିଲା | ଶ୍ରଦ୍ଧାଳୁ ମାନେ ଏହି ନିଆଁରେ ବାଇଗଣ, ଆଳୁ ଓ ଅନ୍ୟାନ୍ୟ ପାରିବା ଫିଙ୍ଗି ସେଗୁଡିକୁ ପରେ ଘରକୁ ଆଣି ପ୍ରସାଦ ଭାବେ ସେବନ କରିଥିଲେ | ଏହି ଅବସରରେ ସନ୍ଧ୍ୟାରେ କଂସ ଦରବାର, ରଙ୍ଗ ମହଲ ଓ କଂସ ପୋଡି ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଥିଲା | ଶେଷରେ ଭାଗବତ ଗୋସେଇଁଙ୍କ ନିକଟରେ ପ୍ରସାଦ ଲାଗି ପରେ ଆନନ୍ଦ ବଜାର ରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ ହୋଇଥିଲା |
Shrutilipi ad