ବାରିପଦା : ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା) ପକ୍ଷରୁ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ବାବା ତିଲ୍କା ମାଝିଙ୍କ ଜୟନ୍ତୀ ସ୍ଥାନୀୟ ହୋଲି ପ୍ୟାଲେସ୍ ତଖତପୁରଠାରେ ପାଳିତ ହୋଇଯାଇଛି । ଏଥିରେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ମୁଖ୍ୟ ଅତିଥି, ଜିଲ୍ଲା କାର୍ଯ୍ୟକାରି ସଭାପତି ଦାସମାତ୍ ହେମ୍ବ୍ରମ୍ ମୁଖ୍ୟବକ୍ତା, ଯୁବ ନେତା ଲିଟୁ ବାସ୍କେ ଏବଂ ଜିଲ୍ଲା ଉପ ସଭାପତି ରବିନ୍ଦ୍ର ମାର୍ଣ୍ଡି ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବିକ୍ତବ୍ୟ ରଖି ଦିବସର ତାତ୍ପର୍ଯ୍ଯତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ମାରିସାର ଏକ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ କରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୦ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ୧୮୧୭ ବିଦ୍ରୋହର ୧୦୦ ବର୍ଷ ପୂର୍ବରୁ ୧୭୮୧ ମସିହାରୁ ୧୭୮୪ ପର୍ଯ୍ୟନ୍ତ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢ଼ିଥିଲେ ଏବଂ ଶେଷରେ ୧୭୮୫ ମସିହାରେ ଭାଗଲପୁର ଆଦିମପୁରରେ ସେ ସହିଦ ହୋଇଗଲେ । ଏହାସତ୍ତ୍ୱେ ତାଙ୍କୁ ଭାରତ ଇତିହାସରେ ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଓ ପ୍ରଥମ ସହିଦର ମାନ୍ୟତା ମିଳିନାହିଁ । ଏବେ ତାହା ଘୋଷଣା କରିବାକୁ ମାରିସା ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଉପସ୍ଥାପିତ ୨୦ଟି ପ୍ରସଙ୍ଗ ମଧ୍ୟରୁ ବାରିପଦାଠାରେ ମହାନ ସ୍ଵାଧୀନତା ସଂଗ୍ରାମୀ ବାବା ତିଲକା ମାଝୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ, ଯେଉଁମାନଙ୍କ ମାତୃଭାଷା ସାନ୍ତାଳୀ ସେମାନେ ସମସ୍ତେ ୨୦୨୫ ସୁଦ୍ଧା ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲେଖା ପଢି ପାରୁଥିବା, ପ୍ରାଥମିକସ୍ତରରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଅଲଚିକି ଶିକ୍ଷାଦାନ ସୁନିଶ୍ଚିତ, ମୟୂରଭଞ୍ଜରେ ସାନ୍ତାଳୀ ଶିକ୍ଷା ପରିଷଦ ବା ସାନ୍ତାଳୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ନାମ ଫଳକରେ ଉଭୟ ଓଡିଆ, ଇଂରାଜୀ ସହିତ ଅଲଚିକିରେ ଲେଖାଯିବା, ସାନ୍ତାଳୀ ସାହିତ୍ୟ ଏକାଡେମୀ ଖୋଲିବା, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ଟ୍ରାଇବାଲ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା, ସାନ୍ତାଳୀ ସଙ୍ଗୀତ ନାଟକ ଏକାଡେମୀ, ସୁନାରାମ ସୋରେନ ସାନ୍ତାଳୀ ପାଠାଗାର ପ୍ରତିଷ୍ଠା କରାଯିବା, ଓଡିଶାରେ ସାନ୍ତାଳୀ ଭାଷାକୁ ଦ୍ଵିତୀୟ ରାଜ୍ୟ ଭାଷା ବା ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ ଆଦି ପ୍ରସଙ୍ଗ ରହିଛି। ଏହି କାର୍ଯ୍ୟକ୍ରମରେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଚାନ୍ଦ ତାରାଶ୍ ମାର୍ଣ୍ଡି, ଜିଲ୍ଲା ଉପ ସଭାପତି ରବିନ୍ଦ୍ର ମାର୍ଣ୍ଡି, ନବ ମାର୍ଣ୍ଡି, ମୁକେଶ ମାର୍ଣ୍ଡି, ଅଜିତ୍ ନାଏକ, ଲମ୍ବୋଦର ମାଝୀ,ସତ୍ୟଜିତ୍ ମହାନ୍ତ, ଡମାନ ସିଂ ପ୍ରମୁଖଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାବା ତିଲକା ମାଝୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ସାରନା ଧର୍ମ ରୀତିନୀତି ଅନୁସାରେ ପୂଜା ସଂପନ୍ନ କରାଯାଇଥିଲା ।
