ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ହାତରୁ ଖସିଯାଇଛି ଦିଲ୍ଲୀ ଶାସନ । ଯାହା କେବେ କେଜ୍ରିଓ୍ବାଲ କଳ୍ପନା ବି କରିନଥିଲେ, ଦିଲ୍ଲୀବାସୀ ତାହା କରିକି ଦେଖାଇଛନ୍ତି । ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା କେଜ୍ରିଓ୍ବାଲଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି । ଆଉ ଦିଲ୍ଲୀ ଶାସନ ହାତରୁ ଯିବା ପରେ ପରେ ଏବେ ଆପକୁ ଘାରିଛି ପଞ୍ଜାବ ଚିନ୍ତା । ଦିଲ୍ଲୀ ଧରାଶାୟୀ ହେବା ପରେ ଏବେ ପଞ୍ଜାବରେ କିପରି ସମଦଶା ନହେଉ, ସେଥିପାଇଁ ପୂର୍ବରୁ ମେଳି ଡାକିଛନ୍ତି କେଜ୍ରିଓ୍ବାଲ । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ଆପର ସମସ୍ତ ନେତା ଏବଂ ପଞ୍ଜାବ ମନ୍ତ୍ରୀ ମାନଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି । କାରଣ ଏବେ କେବଳ ପଞ୍ଜାବରେ ହିଁ ପାର୍ଟି ପାଓ୍ବରରେ ଅଛି । ଆଉ ଯଦି ଏଠି ବି ଦଳ ମାତ୍ ଖାଇଯାଏ, ତାହେଲେ କଥା ସରିଲା । ସେପଟେ କଂଗ୍ରେସ ନେତା ମଧ୍ୟ ଆପର ୩୦ ନେତାଙ୍କ ସଂସ୍ପର୍ଶରେ ଥିବା ଦାବି କରିବା ପରେ କେଜ୍ରିଓ୍ବାଲଙ୍କ ଚିନ୍ତା ଆହୁରି ବଢିଛି । ଏଥିପାଇଁ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ସମସ୍ତ ନେତାକୁ ଏକାଠି ହେବାକୁ ଆହ୍ବାନ ଦେିଛନ୍ତି କେଜ୍ରିଓ୍ବାଲ ।
ତେବେ ଆପ୍ ଭାବିଥିଲା ଦିଲ୍ଲୀ ଆସନ ଅତି ସହଜରେ ହାତେଇନେବ । ଏଥର ବି ଦିଲ୍ଲୀବାସୀ ତାଙ୍କୁ ଆଉ ଏକ ସୁଯୋଗ ଦେବେ । ହେଲେ ଭାରି ପଡିଗଲା ବିଜେପିର ମାନିଫେଷ୍ଟୋ । ଆଉ ନିଜର ବିଫଳଜା ମଧ୍ୟ ତାଙ୍କୁ ବ୍ୟାକଫୁଟକୁ ଟାଣିନେଲା । ଏମିତିକି ନିଜ ଗଡ ମଧ୍ୟ ବଞ୍ଚାଇ ପାରିଲେନି କେଜ୍ରିଓ୍ବାଲ । ମନିଷ ସିସୋଦିଙ୍କ ଭଳି ଆପର ଟାଣୁଆ ନେତା ବି ମାଟି କାମୁଡିଛନ୍ତି । ଲଗାତାର ୩ ଥରର ଶାସକ ରହିଥିବା ଆପ୍ ଏଥର ବିଧାନସଭା ନିର୍ବାଚନରେ ମୋଟ ୭୦ରୁ ମାତ୍ର ୨୨ଟି ଆସନ ହାତେଇ ଧରାଶାୟୀ ହୋଇଛି । ଖାଲି ଯାହା ଅଳ୍ପକେ ନିଜ ଆସନ ବଞ୍ଚାଇ ଦେଇଛନ୍ତି ଆପ୍ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନ୍ ।
ଅନ୍ୟପଟେ ଦୀର୍ଘ ୨୭ ବର୍ଷ ପରେ ପୁଣି କ୍ଷମତାକୁ ଫେରିଛି ବିଜେପି । ଏଥରର ଦିଲ୍ଲୀ ଶାସନ ବିଜେପିର କେଉଁ ପୁରୋଧାଙ୍କ ହାତକୁ ଯିବ ତାକୁ ନେଇ ସସପେନ୍ସ ଜାରି ରହିଛି ।