ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଅତିଥି ଦଳମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଆଜି (ସୋମବାର) ସ୍ପେନର ଉଭୟ ପୁରୁଷ ଏବଂ ମହିଳା ଦଳ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଭୁବନେଶ୍ବରରେ ଖେଳାଯିବ ।
ସ୍ପେନର ପୁରୁଷ ହକି ଦଳ ଫେବୃଆରୀ ୧୫ ଏବଂ ୧୬ରେ ଆୟୋଜକ ଭାରତ ଦଳ ସହ ମୁକାବିଲା କରିବ । ସେହିପରି ଫେବୃଆରୀ ୧୮ଓ ୧୯ରେ ଇଂଲଣ୍ଡକୁ ଭେଟିବ ସ୍ପେନର ପୁରୁଷ ଦଳ । ସ୍ପେନର ମହିଳା ଦଳ ଫେବୃଆରୀ ୧୮ଓ ୧୯ରେ ଘରୋଇ ଦଳ ଭାରତ ସହ ମୁକାବିଲା କରିବ । ଏହା ପୂର୍ବରୁ ସ୍ପେନର ମହିଳା ଦଳ ଫେବୃଆରୀ ୧୫ ଏବଂ ୧୬ ରେ ଜର୍ମାନୀକୁ ଭେଟିବ ।