କଟକ: ବାରବାଟୀ ଷ୍ଟାଡିୟମରେ ଲାଇଟ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଏବେ ଓସିଏକୁ ଜାରି ହେଲା କାରଣ ଦର୍ଶାଅ ନୋଟିସ୍ । କାହିଁକି ଲାଇଟ ବନ୍ଦ ହେଲା?, ଏନେଇ ସୋ କଜ୍ ନୋଟିସ୍ ଜାରି କରିଛି କ୍ରୀଡା ବିଭାଗ । ଏଭଳି ଅବ୍ୟବସ୍ଥାକୁ ନେଇ ୧୦ ଦିନ ଭିତରେ ଉତ୍ତର ରଖିବାକୁ ଓସିଏକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାକୁ ନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଏଭଳି ଦାୟିତ୍ବହୀନତା ପାଇଁ କାର୍ଯ୍ୟନୁଷ୍ଠାନ ହେବ । ବାରବାଟୀରେ ଫ୍ଲଡ୍ ଲାଇଟ ବନ୍ଦ ହେବା ଘଟଣା କ୍ରୀଡା ପ୍ରେମୀଙ୍କୁ ଆଘାତ ଦେଇଛି । ଏନେଇ କ୍ରୀଡା ବିଭାଗ ଓସିଏକୁ ନୋଟିସ୍ କରିଛି । ଲାଇଟ ଲିଭିବା ବଡ କଥା ନୁହେଁ, ବିଳମ୍ବ ହେବା ବଡ କଥା । ସବୁ ବ୍ୟବସ୍ଥା ଥାଇ ମଧ୍ୟ, କାହିଁକି ଡିଜି ଚଳାଇବାରେ ବିଳମ୍ବ ହେଲା, ସେନେଇ ତଦନ୍ତ ହେବ । କିଏ ଏବଂ କେଉଁ କିମିଟି ଏ ଦାୟିତ୍ବରେ ଥିଲେ ଜଣାଇବାକୁ କୁହାଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ହେବ ।
ତେବେ କହିରଖୁଛୁ, ରବିବାର ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ । ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା । ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର, ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ । ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା। ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା।