ଭୁବନେଶ୍ବର: ଉତ୍ତରାଖଣ୍ଡରେ ୩୮ତମ ଜାତୀୟ କ୍ରୀଡାରେ ଗତ ରବିବାର ଦିନ ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲାଲୁ ପ୍ରସାଦ ଭୋଇ, ଡିଏମ୍ ଜୟରାମ, ଅନିମେଶ କୁଜୁର ଓ ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ୪*୧୦୦ମି. ରିଲେ ଦଳ ୩୯.୪୭ ସେକେଣ୍ଡରେ ରେସ୍ ଶେଷ କରି ନୂଆ ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ଜିଣିଛନ୍ତି ।
ପୂର୍ବରୁ ଏହି ରେକର୍ଡ ସର୍ଭିସେସ୍ (୩୯.୯୪ ସେକେଣ୍ଡ, ୨୦୧୧) ନାମରେ ଥିଲା । ତେବେ ଏହି ପୁରୁଷ ୪*୧୦୦ମି. ରିଲେ ରେସ୍ ରେ ତାମିଲନାଡୁ (୪୦.୦୮ ସେକେଣ୍ଡ)ଦଳ ରୌପ୍ୟ ଓ କେରଳ (୪୦.୭୩)ଦଳ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ।
ଅନ୍ୟପଟେ ରବିବାର ଦିନ ହିଁ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି ଓଡିଶା । ପୁରୁଷ ୪୦୦ମି. ଦୌଡର ଫାଇନାଲ ରେସ୍ ରେ ବାପି ହାଁସଦା ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରି ଓଡିଶାକୁ ଆଉ ଏକ ସ୍ବର୍ଣ୍ଣ ପଦକ ଉପହାର ଦେଇଛନ୍ତି । ସେ ୪୬.୮୨ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିଥିଲେ ।