ଖଲ୍ଲିକୋଟ: ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । ଗତକାଲି ରାତିରେ ବୋହୁର ମୃତଦେହ ଉଦ୍ଧାର କରିଛି ପୋଲିସ । ଝିଅ ପରିବାର ଲୋକେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ସେପଟେ ଶାଶୁ, ଶ୍ୱଶୁର, ନଣନ୍ଦ ଫେରାର ହୋଇଯାଇଛନ୍ତି ।
ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡ଼ିମିରିଆ ଗ୍ରାମର ନାରାୟଣ କୋଚିଆରୀଙ୍କ ଝିଅ ଆରତୀଙ୍କ ସହ ନୂତନ ଗୁରୁଣ୍ଠି ଗ୍ରାମ ନବୀନ ସାହୁଙ୍କ ପୁଅ ଭାଗ୍ୟଧର ସାହୁଙ୍କ ବିବାହ ଗତ ୨୦୧୯ ମସିହାରେ ହୋଇଥିଲା । ନାରାୟଣ ଜଣେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ବର ପକ୍ଷର ଦାବି ମୁତାବକ ସମସ୍ତ ଯୌତୁକ ବିବାହ ସମୟରେ ଦେଇଥିଲେ । କିନ୍ତୁ ବିବାହର କିଛି ମାସ ପରେ ଅଧିକ ଯୌତୁକ ଦାବି କରି ବୋହୁ ଉପରେ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଶ୍ୱଶୁର ଘର ଲୋକେ କେତେବେଳେ ନଗଦ ଟଙ୍କା ତ ଆଉ କେତେବେଳେ ମୋଟର ସାଇକେଲ ମାଗୁଥିଲେ ବୋଲି ଝିଅର ପରିବାର ପକ୍ଷରୁ ଥାନା ରେ ଅଭିଯୋଗ ହୋଇଛି ।
ତେବେ ଗତ କାଲି ରାତିରେ ହଠାତ ଝିଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଶ୍ବଶୁର ଘରେ ଆସିପହଞ୍ଚିଥିଲେ । ଝିଅର ମୃତଦେହ ଘର ଭିତରେ ତଳେ ପଡ଼ିଥିବା ଦେଖିଥିଲେ । ଅଭିଯୋଗ ପାଇ ଖଲ୍ଲିକୋଟ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ମୃତ ଆରତୀଙ୍କ ସ୍ୱାମୀ ଭାଗ୍ୟଧର ସାହୁ ସେନାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।