ଆରମ୍ଭ ହେଲା ଦେବରକୁଣ୍ଡ ମେଳା, ଦେବରକୁଣ୍ଡରେ ବୁଡ଼ ପକାଇ ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ

ରାଜ୍ୟ

ଭଦ୍ରକ: ଆରମ୍ଭ ହୋଇଛି ଭଦ୍ରକର ପ୍ରସିଦ୍ଧ ଦେବରକୁଣ୍ଡ ମେଳା । କାଉପୁର ସ୍ଥିତ ଥିବା ଦେବରକୁଣ୍ଡଠାରେ ପବିତ୍ର ଭୈମୀ ଏକାଦଶୀରୁ ଆରମ୍ଭ ହୋଇଛି ଏହି ମେଳା। ଧାର୍ମିକ ଦୃଷ୍ଟି କୋଣରୁ ଏହି ମେଳା ବହନ କରୁଛି ସ୍ବତନ୍ତ୍ର ମାହାତ୍ମ୍ୟ। କିମ୍ବଦନ୍ତୀ କହେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ବନବାସରେ ଥିବା ସମୟରେ ଲକ୍ଷ୍ମଣ ଶର ମୁନରେ ତିଆରି କରିଥିଲେ ଏହି କୁଣ୍ଡ। କୁଣ୍ଡଟି ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀର ରହିଛି। ଏହି କୁଣ୍ଡର ପାଣିକୁ ମା’ ସୀତା ସ୍ନାନ ତଥା ତୃଷ୍ଣା ମେଣ୍ଟାଇବାକୁ ବ୍ୟବହାର କରୁଥିଲେ। ଏଥିପାଇଁ ଏହି କୁଣ୍ଡର ନାଁ ପଡ଼ିଥିଲା ଦେବରକୁଣ୍ଡ। ଏହି କୁଣ୍ଡ ସୀତା କୁଣ୍ଡ ନାଁରେ ମଧ୍ୟ ପରିଚିତ।

ବିଶ୍ବାସ ରହିଛି ପୁଣ୍ୟତୋୟା ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି କୁଣ୍ଡରେ ସ୍ନାନ କଲେ ରୋଗ ଶୋକ ଦୂର ହେବା ସହ ପାପ କ୍ଷୟ ହୋଇଥାଏ। ଆହୁରି ମଧ୍ୟ ବିଶ୍ବାସ ରହିଛି ବିବାହ ସମୟରେ ବ୍ୟବହୃତ ସାମଗ୍ରୀ ନଦୀ ଜଳରେ ଭସାଇବା ଦ୍ବାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି। ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି କୁଣ୍ଡରେ ବୁଡ଼ ପକାଇବା ସହ ଏଠାରେ ଥିବା ମନ୍ଦିରରେ ପ୍ରଭୁ ରାମ ମା’ ସୀତା ଏବଂ ପ୍ରଭୁ ଲକ୍ଷ୍ମଣଙ୍କ ଦର୍ଶନ କରି ଆଶିଷ ଲାଭ କରିଥାଆନ୍ତି ।

Shrutilipi ad