ଭୁବନେଶ୍ୱର: ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଲାଗୁ ହେଲା ଅନ୍ତୋଦୟ ଗୃହ ଯୋଜନା । ଅନ୍ତୋଦୟ ଗୃହ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ଏହି ଯୋଜନାରେ ଆସନ୍ତା ତିନି ବର୍ଷ ମଧ୍ୟରେ ଅନ୍ୟୁନ୍ୟ ୨,୨୫,୦୦୦ ନୂତନ ପକ୍କା ଘର ମଞ୍ଜୁର କରାଯିବ। ଏହି ଯୋଜନା ପାଇଁ ୭,୫୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ରାଜ୍ୟରେ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨ ପ୍ରଣୟନ କରାଯାଇଥିଲା । ତେବେ, ଏହି ନୀତିର କାର୍ଯ୍ୟାନ୍ୱୟନରେ ଚିହ୍ନଟ ହୋଇଥିବା ପରିଚାଳନାଗତ ଅସୁବିଧାକୁ ଦୃଷ୍ଟିରେ ରଖି ନୀତିକୁ ଅଧିକ ଆକର୍ଷଣୀୟ କରିବା ତଥା ଏହାର ସୁଗମ କାର୍ଯ୍ୟକାରିତା ପାଇଁ ଆଜି ରାଜ୍ୟ କ୍ୟାବିନେଟ ସଂଶୋଧିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ସେହିପରି ଓଡ଼ିଶା ଲୋକସେବା ଆୟୋଗ (ସେବା ସର୍ତ୍ତାବଳୀ) ବିନିୟମ, ୧୯୫୨ ର ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ଏନେଇ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏଥିସହ ଓଡ଼ିଶା ଜିଲ୍ଲା ତଥା ସିଭିଲ୍ କୋର୍ଟର ଜୁଡିସିଆଲ୍ ଷ୍ଟାଫ୍ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ (ସଂଶୋଧନ) ନିୟମ ୨୦୦୮ କୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯାଉଛି ।
ସେହିପରି ରାଜ୍ୟର ସବୁ ବ୍ଲକରେ ହେବ ବ୍ଲକ୍ସ୍ତରୀୟ ଷ୍ଟାଡ଼ିୟମ୍ । ଏନେଇ କ୍ୟାବିନେଟ୍ ଅନୁମୋଦନ ମିଳିଛି । ସେହିପରି ହୀରାକୁଦ ଡ୍ୟାମରେ ନିର୍ମାଣ ହେବ ଅତିରିକ୍ତ ସ୍ପିଲୱେ । ରାଜ୍ୟରେ ଲଗୁହେବ ଏକୀକୃତ ପେନସନ୍ ଯୋଜନା (ୟୁପିଏସ୍) । କଟକ ଚାନ୍ଦବାଲି ରାସ୍ତାର ଭାରିଗଡା ଠାରେ ଖରସ୍ରୋତା ନଦୀ ଉପରେ ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବାପାଇଁ, ଏକ ଚାରିଲେନ୍ ବିଶିଷ୍ଟ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।