Wqer

ଜନ ଦାବି ନେଇ ସିପିଆଇ ର ଶୁକୃଳି ବ୍ଲକ୍ ଘେରାଉ

State

ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଯାମୁନ୍ତି ଶାଖା ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୭ ଦଫା ସମ୍ବଳିତ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ସାଥୀ ଶଙ୍କର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଯୋଗ ଯୋଗ ଦେଇ କହିଥିଲେ, ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି। ମନରେଗା ଯୋଜନାରେ ଶ୍ରମିକ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶବ ହୋଇ ଫେରୁଛି। ସର୍ବ ନିମ୍ନ ମଜୁରୀ ଆଇନ୍ କାର୍ଯକାରୀ ନ ହେବା ଫଳରେ ମାଲିକମାନେ ଶ୍ରମିକଙ୍କୁ ଶୋଷଣ କରୁଛନ୍ତି।୩୦୦ ୟୁନିଟ ବିଜୁଳି ଛାଡ଼, ସାମାଜିକ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସମାନ ପରିମାଣର ଭତ୍ତା ପ୍ରଦାନ କରିବା ଇତ୍ୟାଦି ପ୍ରତିଶୃତି ଫମ୍ପା ଆବାଜ ଥିଲାବେଳେ ସାଧାରଣ ମଣିଷ ଟିକସ ବୋଝରେ ବେହାଲ ହେଉଛି।ଧନୀ ଗରିବ ର ଅସମତା ବଢ଼ି ବଢ଼ି ଚାଲିଛି। ଦରବୃଦ୍ଧି ନିୟନ୍ତ୍ରଣ କରିବା, ମନରେଗା ଯୋଜନାରେ ବାର୍ଷିକ ୨୦୦ ଦିନର କାମ ସହ ୬୦୦ ଟଙ୍କା ଦୈନିକ ମଜୁରୀ,ବାଛ ବିଚାର ନ କରି ସମସ୍ତଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ପ୍ରଦାନ, ସର୍ବ ନିମ୍ନ ମଜୁରୀ ଆଇନ୍ କାର୍ଯକାରୀ କରିବା ଇତ୍ୟାଦି ୭ ଦଫା ଦାବି ଉପସ୍ଥାପିତ ହୋଇଛି।ଡାହାଣୀ ଗାଡିଆ ଛକରୁ ଶତାଧିକ ଲୋକଙ୍କ ଲାଲ୍ ପଟୁଆର ବଜାର ପରିକ୍ରମା କରି ବ୍ଲକ୍ ସମ୍ମୁଖରେ ପହଞ୍ଚି ଥିଲା ଏବଂ ଶ୍ରମଜୀବୀ ମଣିଷ ମନରେଗା ଯୋଜନାରେ ବାର୍ଷିକ ୨୦୦ ଦିନର କାମ ପାଇଁ ନାରା ଦେଇଥିଲେ| ବିଡିଓ ବ୍ରହ୍ମାନନ୍ଦ ବେହେରା ଦାବି ପତ୍ର ଗ୍ରହଣ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସାଥୀ ପରମେଶ୍ବର ମହାନ୍ତ, ନାରାୟଣ ନାଏକ, ମୋୖସୁମୀ ମହାନ୍ତ,ଲିଳାବତୀ, ମଙ୍ଗଳୁ ଚାତାର, ଭଗବତୀ ନାଏକ, ଭାସ୍କର ମହାନ୍ତ, ମଞ୍ଜୁଲତା ନାଏକ, ଅକ୍ଷୟ ମହାନ୍ତ, ପ୍ରମିଳା ନାଏକ, ସୁଲୋଚନା ମହାନ୍ତ, ଭାନୁମତୀ, ପ୍ରତିଭା ନାଏକ,ସୀତା ସିଂ, ସୁଭଦ୍ରା ନାଏକ, ପାର୍ବତୀ ନାଏକ, ଚଞ୍ଚଳା ମାଝୀ, ମାନ ଦେଇ ଚାପିଆ, କାଞ୍ଚନ ମହାନ୍ତ, ମନ୍ଦୋଦରୀ ନାଏକ,ଡମଣୀ ନାଏକ ପ୍ରମୁଖ ବିକ୍ଷୋଭ ରେ ସାମିଲ ଥିଲେ।