କଟକ: ଫେବୃଆରୀ ୯ (ରବିବାର) ବାରବାଟୀ ଷ୍ଟାଡିୟମରେ ହେବ ମହାମୁକାବିଲା । ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଏହି ମହାମୁକାବିଲା ପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ଉଭୟ ଭାରତ- ଇଂଲଣ୍ଡ ଦଳର ଖେଳାଳିମାନେ ପହଞ୍ଚିବେ । ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବେ । ଏହାପରେ ଉଭୟ ଦେଶର ଖେଳାଳିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ । ଏଥିଲାଗି କମିସନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଛି । ବିଶେଷକରି ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ସେହିପରି ମ୍ୟାଚ୍ ସମୟରେ ଷ୍ଟାଡିୟମ ଭିତରକୁ ପାଣି ବୋତଲ ମଧ୍ୟ ନେଇ ଦର୍ଶକ ଯାଇପାରିବେ ନାହିଁ ବୋଲି ପୋଲିସ୍ କମିଶନର କହିଛନ୍ତି ।
ସେପଟେ ଏୟାରପୋର୍ଟଠୁ ହୋଟେଲ୍ ଏବଂ କାଲି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ସହିତ ରବିବାର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଖେଳାଳିମାନେ ଭୁବନେଶ୍ବରରୁ କଟକ ଯିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।