ଟ୍ରମ୍ପ ଓ ମାକ୍ରନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶ - ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୦ ତାରିଖରୁ ବିଦେଶ ଗସ୍ତରେ ଯିବେ। ଏହା ପ୍ରଧାନମନ୍ତ୍ରୀଙ୍କର ଏକ ହାଇପ୍ରୋଫାଇଲ ଗସ୍ତ ହେବ। କାରଣ ମୋଦୀ ପ୍ରଥମେ ଫ୍ରାନ୍ସ ଏବଂ ପରେ ପରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ଗସ୍ତ ସମୟରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବା ସହିତ ଦ୍ଵିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ, ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏମାନୁଏଲ ମାକ୍ରନଙ୍କ ଆମନ୍ତ୍ରଣ କ୍ରମେ ଫେବୃୟାରୀ ୧୦ରେ ପ୍ରଧାନମନ୍ତ୍ରୀ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହି ଗସ୍ତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବେ। ଏହା ପରେ ପରେ ମୋଦୀ ୧୨ ତାରିଖରୁ ଆମେରିକା ଗସ୍ତରେ ଯିବେ। ୧୩ ତାରିଖରେ ମୋଦୀଙ୍କ ଗସ୍ତ ଶେଷ ହେବ। ଆମେରିକା ଗସ୍ତ ସମୟରେ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ। ଆମେରିକା ପ୍ରଶାସନକର ଅପ୍ରବାସନ ଏବଂ ତାରିଫ ନୀତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ। ଟ୍ରମ୍ପ ଦାୟିତ୍ବ ଗ୍ରହଣ କରିବା ପରେ ମୋଦୀ ୨ୟ ନେତା ଭାବେ ତାଙ୍କୁ ସାକ୍ଷାତ କରିବେ। ପ୍ରଥମେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଟ୍ରମ୍ପଙ୍କୁ ଭେଟିଥିଲେ।

Shrutilipi ad