- ଗାଁର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ୧ହଜାର କୋଟି ୫ବର୍ଷରେ ୫ହଜାର କୋଟି ଟଙ୍କା ବ୍ୟୟ ବରାଦ।
- ଆର୍ଥିକ ବର୍ଷ ୨୦୨୪-୨୫ ରୁ ୨୦୨୮-୨୯ ମଧ୍ୟରେ ହେବ କାର୍ଯ୍ୟକାରୀ
- ମଞ୍ଜୁରୀ ଅର୍ଥର ୪୦ ପ୍ରତିଶତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂନ୍ଥା ବ୍ଲକ ପାଇଁ ଉଦିଷ୍ଟ
- ଲକ୍ଷ୍ୟ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡିଶା
- ସଶକ୍ତ ହେବେ ଗାଁ ଲୋକ ସମୃଦ୍ଧ ହେବ ଓଡିଶା
ବାରିପଦା : ଓଡିଶା ସରକାର ଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ମିନି ଷ୍ଟାଡିଅମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଭାସୀ ମାଧ୍ୟମରେ “ବିକଶିତ ଗାଁ ବିକଶିତ ଓଡିଶା ” ଯୋଜନାର ଶୁଭାରମ୍ଭ କରି ଓଡିଶା ବାସୀଙ୍କ ଉଦେଶ୍ୟରେ ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ରେ କହିଥିଲେ କି ବିକଶିତ ଦେଶ ର ପରିକଳ୍ପନା କୁ ସାକାର କରିବା ପାଇଁ ହେଲେ ଏହାର ପ୍ରଥମ ସ୍ୱପାନ ଗ୍ରାମର ବିକାଶ ହେବା ଦରକାର। ତେଣୁ ଏହି ଯୋଜନାରେ ଗାଁର ସାମଗ୍ରିକ ବିକାଶ ପାଇଁ ବର୍ଷକୁ ଏକହଜାର କୋଟି ଅର୍ଥ ରାଶି ହିସାବରେ ପାଞ୍ଚ ବର୍ଷରେ ୫ହଜାର କୋଟି ଟଙ୍କା ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ବ୍ୟୟ ବରାଦ କରାଯାଇଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଜରିଆରେ ବିନିଯୋଗ ରେ ସ୍ୱଛତା ବଜାୟ ରଖି ଏହି ଅର୍ଥ ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ,କ୍ରୀଡା ଗମନା ଗମନ,ପୂଜାପୀଠ, କମ୍ୟୁନିଟି ସେଣ୍ଟର, ପାଠାଗାର, ଶ୍ରେଣୀଗୃହ ବୃଦ୍ଧି, ଗାଧୁଆ ଘାଟ ଇତ୍ୟାଦିର ଭିତ୍ତି ଭୂମିର ବିକାଶ ଓ ଅନ୍ୟାନ୍ୟ ବିବିଧ କ୍ଷେତ୍ର ରେ ଗାଁର ସାମଗ୍ରୀକ ବିକାଶ ପାଇଁ ବିନିଯୋଗ କରାଯାଇ ଗାଁ ଲୋକମାନଙ୍କ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ସ୍ଥିତି ରେ ସୁଧାର ଅଣାଯାଇ ସଶକ୍ତ କରାଯିବ ଯାହା ଫଳରେ ଗାଁର ଲୋକ ମାନେ ଗାଁ ରେ ରହି ନିଜର ବିକାଶ କରିବାରେ ସକ୍ଷମ ହୋଇପାରିବେ। ଏହି ଯୋଜନା ଦାରିଦ୍ର୍ୟ ଓ ଅନଗ୍ରସରତା ବିରୋଧ ରେ ସଂଗ୍ରାମ କରି ଗାଁ କୁ ବିକଶିତ କରିବା ସହ ଗାଁ ଓ ସହର ମଧ୍ୟରେ ଉପଲବ୍ଧ ହେଉଥିବା ସୁବିଧା ସୁଯୋଗ ଗୁଡିକ ମଧ୍ୟରେ ତାରତମ୍ୟ ହ୍ରାସ ହେବ ଏବଂ ଗାଁ ଓ ସହରର ବିକାଶ ଏକାଧାରାରେ ଚାଲିବ ଫଳରେ ବିକଶିତ ଓଡିଶା ତଥା ବିକଶିତ ଭାରତ ପରିକଳ୍ପନା ସାକାର ହେବ।
ଏହି ଅବସରରେ ଆଜି ବାରିପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ତରଫରୁ ଆୟୋଜିତ ଯୋଜନାର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ମୟୁରଭଞ୍ଜ ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ, ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ, ଓରମାସ ର ସି ଇ ଓ ଶ୍ରୀ ବିମାନ ମଲ,ବାରିପଦା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନ୍ଦର ସିଂ ଓ ବାରିପଦା ବ୍ଲକ ର ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ନରେନ୍ଦ୍ର ହାଁସଦା ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ରେ ଯୋଗ ଦେଇ ଜିଲ୍ଲlପାଳ ତାଙ୍କ ବକ୍ତବ୍ୟ ରେ ଏହି ଯୋଜନା ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ଅବଗତ କରାଇବା ସହ କହିଥିଲେକି ସରକାରଙ୍କ ଦ୍ୱାରା ବରାଦ ଅର୍ଥ କୁ ଖର୍ଚ୍ଚ କରିବା ସମୟରେ ବିକାଶ ଧାରାରେ କେଉଁ କାର୍ଯ୍ୟର ଅତ୍ୟନ୍ତ ଅବଶ୍ୟକତା ରହିଛି ତାହାକୁ ଦୃଷ୍ଟି ରେ ରଖି ପ୍ରାଧାନ୍ୟତା ଭିତ୍ତିରେ ଅର୍ଥ ବିନିଯୋଗ କଲେ ଏହାର ସଠିକ ଉପଯୋଗ ହେବା ସହ ସାମଗ୍ରିକ ବିକାଶ ସମ୍ଭବ ହେବ. ଏହାଦ୍ୱାରା ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ, ପରିବାରର ର ଆୟ ବଢିବ, ସମସ୍ତେ ସଶକ୍ତ ହେବେ ଏବଂ ସମସ୍ତଙ୍କ ସହଯୋଗ ରେ ଗାଁ ସମୃଦ୍ଧ ହେବ।
ବାରିପଦା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ଐଶର୍ଯ୍ୟା
ଭୂୟାଁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭଗୀୟ ପଦାଧିକାରୀ,ବାରିପଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଂଚାୟତ ର ପି ଆର ଆଇ ସଦସ୍ୟ,ଜନସାଧାରଣ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିଲେ। ଶ୍ରୀ ସମରେନ୍ଦ୍ର କୁମାର ବସା କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।