- ୫୦୦ରୁ ଉର୍ଦ୍ଧ ଅଭିଯୋଗର ଶୁଣାଣି କଲେ ମନ୍ତ୍ରୀ, ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ
ବାରିପଦା: ଓଡିଶା ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ମୋରଡା ବ୍ଲକ ବୈଠକ ଗୃହରେ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଶିବିରରେ ୫୦୦ ରୁ ଉର୍ଦ୍ଧ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ମାନ୍ୟବର ମନ୍ତ୍ରୀ ଶ୍ରୀ ମହାପାତ୍ର, ଜନସାଧାରଣଙ୍କ ଅଭିଯୋଗ ଗୁଡିକ ଶୁଣି ସେସବୁର ଆବଶ୍ୟକ ସମାଧାନ ପାଇଁ ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକର ତୁରନ୍ତ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନଅଭିଯୋଗ ଶୁଣାଣୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ, ଶ୍ରୀ ଧର୍ମାନନ୍ଦ ବେହେରା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ରାମ ଚନ୍ଦ୍ର ସୋରେନ, ମୋରଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଣାକାର ନାୟକ, ବି. ଜେ. ପି. ଜିଲ୍ଲା ସଭାପତି ଶ୍ରୀ କାନ୍ଦ୍ରା ସୋରେନ, ଏବଂ ଓ ଏସ ଡି ଶ୍ରୀ ରଜନୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥବା ବେଳେ
ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ଲାଇନ ବିଭାଗୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ପାଇଁ ଅଭିଯୋଗ ପତ୍ର ଗୁଡିକ ଗ୍ରହଣ କରିଥିଲେ। ସମସ୍ତ ଅଭିଯୋଗ ମାନଙ୍କ ମଧ୍ୟରେ ମୁଖ୍ୟତଃ ସରକାରୀ ଅନୁଦାନ ପ୍ରାପ୍ତ ଗୃହ ନିର୍ମାଣ, ଗ୍ରାମ୍ୟ ବିଦ୍ୟୁତ ଯୋଗାଣ, ଜମି ପଟ୍ଟା, ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଓ ପରିମଳ, ଉଠାଜଳସେଚନ, ଗ୍ରାମ୍ୟ ଉନ୍ନୟନ,ଜମି ସୀମାଙ୍କନ, ନିର୍ମାଣ ଶ୍ରମିକ ସହାୟତା, ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ, ଶିକ୍ଷା, ଆଇନ ଶୃଙ୍ଖଳା ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ଜନିତ ଇତ୍ୟାଦି ସମସ୍ୟା ଥିଲା।
ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ସରକାରଙ୍କର ବିଭିନ୍ନ ଯୋଜନା ଅନୁଯାୟୀ ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ।
ଉକ୍ତ ଜନ ଶୁଣାଣୀ ଶିବିର ମୋରଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ।