1coldd

ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ତାତି, କୁହୁଡି ପାଇଁ ୧୬ ଜିଲ୍ଲାକୁ ୨୪ ଘଣ୍ଟା ୟେଲୋ ଆଲର୍ଟ

State

ରାଜ୍ୟରେ ଧୀରେ ଧୀରେ ତାତି ବଢ଼ୁଥିବାରୁ ଟାଇ ଟାଇ ଖରା ସହ ଅସ୍ୱାଭାବିକ ଗରମ ଦେଖିବାକୁ ମିଳିଛି ।ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଫଳରେ ରାଜ୍ୟରେ ତାତି ସହ ସହ ଅସ୍ୱାଭାବିକ ଗରମ ଅନୁଭୁତୁ ହେଉଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

କିଛି ସ୍ଥାନରେ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢିବ । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, ନୂଆପଡା ଭଳି ଜିଲ୍ଲାରେ ମେଘମୁକ୍ତ ଆକାଶ ରହିବା ସହ ୩୦ ରୁ ୩୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ । ସେହିଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ ।

ତାତି ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ୧୬ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଗଜତସିଂହପୁର, କେନ୍ଦୁଝର, ପୁରୀ, ଅନୁଗୁଳ, ଢେଙ୍କାନାଳ , ମୟୁରଭଞ୍ଜ ,ଗଜପତି କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ସେହିଭଳି ଆସନ୍ତାକାଲି ତାରିଖରେ ଗଂଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁରରେ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ଆଲର୍ଟ ଜାରି ହୋଇଛି । ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତା ର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ସେପଟେ ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଛତ୍ରପୁର ,ଗୋପାଳପୁର ,ଯାଜପୁର ,ଅନୁଗୁଳ ,ନୟାଗଡ,କଟକ,ଭୁବନେଶ୍ୱର ଓ ଫୁଲବାଣୀରେ ଅତି ଘନ କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ସର୍ବନିମ୍ନ ସମତଳ ଅଂଚଳରେ ଫୁଲବାଣୀରେ ୧୫.୦ ଡିଗ୍ରୀ ସହ ପାହାଡିଆ ଅଂଚଳରେ ଜି ଉଦୟଗିରି ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ମଧ୍ୟ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଆକଳନ କରାଯାଇଛି ।