ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ସହଯୋଗରେ ଓଡ଼ିଶା ମାନବ ଅଧିକାର କମିଶନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । କମିଶନଙ୍କ ସଦସ୍ୟ ବିରଜା ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାମ୍ପ କୋର୍ଟରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ମାନବ ଅଧିକାର ସମ୍ପର୍କିତ ମୋଟ ୪୬ଟି ମାମଲାର ଶୁଣାଣି କରାଯାଇଥିବା ବେଳେ ୨୦ଟି ମାମଲାର ଫଇସଲା କରାଯାଇଛି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ହେମକାନ୍ତ ସୟ୍ ଏବଂ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଉପସ୍ଥିତ ରହିଥିଲେ ।
ଜିଲ୍ଲାସ୍ତରରେ ଅଭିଯୋଗକାରୀମାନଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ ସହ ମାନବ ଅଧିକାର ସମ୍ପର୍କିତ ଅଭିଯୋଗଗୁଡ଼ିକର ଶୁଣାଣି ଓ ସମାଧାନ ସୁନିଶ୍ଚିତ କରିବା ଏହି କ୍ୟାମ୍ପ କୋର୍ଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଥିରେ ଉଭୟ ଜିଲ୍ଲାର ଅଭିଯୋଗକାରୀମାନେ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ ଓ ପକ୍ଷ ଉପସ୍ଥାପନ କରିଥିଲେ ।
କ୍ୟାମ୍ପ କୋର୍ଟରେ ମୟୂରଭଞ୍ଜ ଜିଲ୍ଲାର ୨୫ଟି ଏବଂ ବାଲେଶ୍ୱର ଜିଲ୍ଲାର ୨୧ଟି ମାମଲାର ଶୁଣାଣି ହୋଇଥିଲା । ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ମାମଲାଗୁଡ଼ିକର ତଥ୍ୟ ଓ ଉପଲବ୍ଧ ପ୍ରମାଣ ଆଧାରରେ ବିଚାର କରାଯାଇ ୨୦ଟି ମାମଲାର ଫଇସଲା କରାଯାଇଥିଲା । ଅବଶିଷ୍ଟ ମାମଲାଗୁଡ଼ିକରେ ଆବଶ୍ୟକ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ସମ୍ପୃକ୍ତ ପ୍ରଶାସନିକ ଓ ପୋଲିସ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି କ୍ୟାମ୍ପ କୋର୍ଟ ଅତିରିକ୍ତ ଜିଲ୍ଲାପାଳ (ନ୍ୟାୟିକ) ଇଶ୍ୱର ଚନ୍ଦ୍ର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ସୁପରିଚାଳନାରେ ଡେପୁଟି କଲେକ୍ଟର (ନ୍ୟାୟିକ) ଦୀପାଞ୍ଜଳୀ ସିଂଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ସକ୍ରିୟ ଯୋଗଦାନ କରି କ୍ୟାମ୍ପ କୋର୍ଟ ଆୟୋଜନକୁ ସଫଳ କରିଥିଲେ ।
