1ashok

ଚିକିତ୍ସା ଜଗତର ଉଜ୍ଜ୍ୱଳ ଜ୍ୟୋତିଷ୍କ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ‘ପୂଜ୍ୟ ପୂଜା, ଓଡ଼ିଶା’ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ

ଭୁବନେଶ୍ୱର, ୧୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ (ନ୍ୟୁରୋସର୍ଜନ), ଶିକ୍ଷାବିତ୍ ତଥା ‘ପୂଜ୍ୟ ପୂଜା, ଓଡ଼ିଶା’ର ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଅନୁଷ୍ଠାନ ପକ୍ଷରୁ ଗତ ମଙ୍ଗଳବାର (ତା. ୧୦.୧୧.୨୦୨୬) ଭୁବନେଶ୍ୱରଠାରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିରଜା ପ୍ରସାଦ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ଦିବଙ୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

2ashok

ସଭା ପ୍ରାରମ୍ଭରେ ଦିବଙ୍ଗତ ମହାନ ଆତ୍ମାର ସଦ୍‌ଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ରଶ୍ମିତା ରାଉତଙ୍କ ସୁମଧୁର କଣ୍ଠରେ ଭଜନ ପରିବେଷଣ ସଭାକକ୍ଷରେ ଏକ ଆଧ୍ୟାତ୍ମିକ ଓ ଭାବଗମ୍ଭୀର ପରିବେଶ ସୃଷ୍ଟି କରିଥିଲା। ଅନୁଷ୍ଠାନର ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଡାକ୍ତର ମହାପାତ୍ରଙ୍କ ସହ ବିତାଇଥିବା ବିଗତ ଦିନର ବହୁ ମଧୁର ଓ ପ୍ରେରଣାଦାୟୀ ସ୍ମୃତିଚାରଣ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତା ଓ ଆଲୋଚକ ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପ୍ରଭାତ ଚନ୍ଦ୍ର ପାଢ଼ୀ, ଡକ୍ଟର ସତ୍ୟନାରାୟଣ ମିଶ୍ର, ନାଟ୍ୟକାର ବିଜୟ କୁମାର ମହାନ୍ତି, ଶରତ ଚନ୍ଦ୍ର ରଥ, ଗଣେଶ ଚନ୍ଦ୍ର ପଣ୍ଡା, ସୁବାସ ଚନ୍ଦ୍ର ସାହୁ, ଇଂ. ନିରଞ୍ଜନ ପଣ୍ଡା, ମନୋଜ କୁମାର ଜେନା, ଭାଗିରଥୀ ନାୟକ, ପ୍ରତାପ କୁମାର ନାୟକ, ବାରିବନ୍ଧୁ ପଟ୍ଟନାୟକ ଏବଂ ସୁନୀଲ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଆଲୋଚକମାନେ ଡାକ୍ତର ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ଓ କର୍ମମୟ ଜୀବନ ଉପରେ ସୁବିସ୍ତୃତ ଆଲୋଚନା କରି ତାଙ୍କୁ ଚିକିତ୍ସା ଜଗତର ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ ଭାବେ ଅଭିହିତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ଏମ୍ସ (AIIMS)ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ, ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ତଥା ଶିକ୍ଷା ଓ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର କୁଳପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଅଳଙ୍କୃତ କରି ଡାକ୍ତର ମହାପାତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିଲେ। ବିଶେଷକରି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାରରେ ପ୍ରମୁଖ ଭୂମିକା ଗ୍ରହଣ କରି ସେ ସମଗ୍ର ବିଶ୍ୱରେ ଚିକିତ୍ସା ବିଜ୍ଞାନର ଏକ ନୂତନ ଇତିହାସ ରଚନା କରିଥିଲେ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ସମ୍ମାନଜନକ ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କରିଥିଲେ। କେବଳ ଜଣେ ଦକ୍ଷ ଚିକିତ୍ସକ ନୁହନ୍ତି, ବରଂ ଜଣେ ଆଦର୍ଶ ଶିକ୍ଷକ, ଦରଦୀ ମଣିଷ, ଆଧ୍ୟାତ୍ମିକ ଚିନ୍ତକ ଓ ସାରସ୍ୱତ ସାଧକ ଭାବେ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କର ଅକାଳ ବିୟୋଗରେ କେବଳ ଚିକିତ୍ସା ଜଗତ ନୁହେଁ, ବରଂ ସମାଜସେବା ଓ ସାରସ୍ୱତ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ସଭାରେ ପଣ୍ଡିତ ସୁନୀଲ କୁମାର ନନ୍ଦ ଯୋଗଦେଇ ଭାରତୀୟ ଜୀବନ ଦର୍ଶନ ଓ ଆଧ୍ୟାତ୍ମିକତା ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିବା ସହ ଡାକ୍ତର ମହାପାତ୍ରଙ୍କୁ ଜଣେ ଦିବ୍ୟାତ୍ମା ଓ କର୍ମଯୋଗୀ ଭାବେ ପ୍ରତିପାଦିତ କରିଥିଲେ। ପରିଶେଷରେ କୈଳାସ ଚନ୍ଦ୍ର ରଥ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।