ସାଲେପୁର : ବିଜ୍ଞାନ ପ୍ରଚାର ସମିତି ସାଲେପୁର ଶାଖାର ଧାରାବାହିକ ମାସିକ ଅଧିବେଶନ ସହ ‘ମାଣ୍ଡିଆ ଦିବସ’ ଉପଲକ୍ଷେ ଗତ ମଙ୍ଗଳବାର ଦିନ ସ୍ଥାନୀୟ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ମେଜର ମଞ୍ଜୁଶ୍ରୀ ପତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ପିଢ଼ିକୁ ମାଣ୍ଡିଆ ଦିବସର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରଥମେ ଦୁଇଟି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ପଲ୍ଲୀ ଜୀବନ” ଶୀର୍ଷକ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଅଧିବେଶନ ଶେଷରେ ଉପସ୍ଥିତ କର୍ମକର୍ତ୍ତାମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସମିତିର ମୁଖ୍ୟ ପୁରୋଧା ସୁକାନ୍ତ କିଶୋର ମହାନ୍ତିଙ୍କ ପ୍ରସଙ୍ଗଭିତ୍ତିକ ଉପକ୍ରମଣିକା ପରେ ‘ଶ୍ରୀ ଅନ୍ନ ଅଭିଯାନ’ ଓ ମାଣ୍ଡିଆ ଦିବସ ଉପରେ ନିର୍ବନ୍ଧ ପାଠ କରାଯାଇଥିଲା। ଏହି ଅବସରରେ ସୁକାନ୍ତ କିଶୋର ମହାନ୍ତି, ଶାରଦା ପ୍ରସାଦ ରଥ, ବିପିନ୍ ବିହାରୀ କର, ଉମେଶ ଚନ୍ଦ୍ର ପତି, ହରିହର ତ୍ରିପାଠୀ, ପ୍ରଭାତ କିଶୋର ନାୟକ ଓ ମଞ୍ଜୁଶ୍ରୀ ପତି ପ୍ରମୁଖ ସ୍ୱଲିଖିତ ନିର୍ବନ୍ଧଗୁଡ଼ିକ ପାଠ କରିବା ପରେ ବିଷୟବସ୍ତୁ ଉପରେ ଏକ ସାରଭିତ୍ତିକ ଆଲୋଚନା ହୋଇଥିଲା।
ବକ୍ତାମାନେ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଶ୍ରୀ ଅନ୍ନ ଯୋଜନାର ଅଭ୍ୟୁଦୟ, ବର୍ତ୍ତମାନର ସ୍ଥିତି ଓ ଅଗ୍ରଗତି, ରାଜ୍ୟ ତଥା ଦେଶରେ ଏହାର ଉତ୍ପାଦନ, ପାରମ୍ପରିକ ଧାରଣା, ସରକାରୀ ପ୍ରୋତ୍ସାହନ ଓ ନିଯୁକ୍ତି ସୁବିଧା ଉପରେ ଆଲୋକପାତ କରିଥିଲେ। ଏହା ସହିତ ମହିଳା ସଶକ୍ତିକରଣ, ଆଦିବାସୀବହୁଳ ତଥା ଅନୁନ୍ନତ ପରିବାରଗୁଡ଼ିକର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା, ପୁଷ୍ଟିହୀନତା ଦୂରୀକରଣ, କୃଷି ପ୍ରତି ଲୋକଙ୍କୁ ଆକର୍ଷିତ କରିବା, ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଦ୍ରବ୍ୟର ଚାହିଦା ଏବଂ ବିଭିନ୍ନ ରୋଗ ନିୟନ୍ତ୍ରଣରେ ଏହାର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ମାଣ୍ଡିଆ ଚାଷ ଦ୍ୱାରା ଓଡ଼ିଶା କିପରି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛି ଏବଂ ସଫଳ ଚାଷୀ ରାଇମତି ଘିଉରିଆ ଓ ସୁବାସ ମହାନ୍ତଙ୍କ ଅକ୍ଲାନ୍ତ ପରିଶ୍ରମ କିପରି ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଓ ସୁନାମ ଆଣିଦେଇଛି, ସେ ସମ୍ପର୍କରେ ଆଲୋଚକମାନେ ମତ ରଖିଥିଲେ। ଏଥିସହ ‘ମିଲେଟ୍ ମ୍ୟାନ୍ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ଡକ୍ଟର ଖାଦର ଭାଲିଙ୍କ ମାଣ୍ଡିଆ ସମ୍ପର୍କିତ ମତାମତ ଓ ତାଙ୍କର ବିଭିନ୍ନ ପରୀକ୍ଷଣର ନିଷ୍କର୍ଷ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଲଳିତଗିରିର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆର ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରୀକୁ ଉପସ୍ଥିତ ସଭ୍ୟମାନେ ଆଗ୍ରହର ସହ ଗ୍ରହଣ କରିଥିଲେ।
ଏହି ଅଧିବେଶନରେ ସମିତିର ବରିଷ୍ଠ ସଭ୍ୟ ନିଗମାନନ୍ଦ କର, ସମ୍ପାଦକ ମହେଶ ଚନ୍ଦ୍ର କର, ସହ-ସମ୍ପାଦକ ଦିବାକର ପ୍ରଧାନ, ମାର୍ଗଦର୍ଶକ ପୂର୍ଣ୍ଣଚନ୍ଦ୍ର ଓଝା, କୋଷାଧ୍ୟକ୍ଷ ପର୍ଶୁରାମ ବେହେରା, ଧ୍ରୁବାନନ୍ଦ ଶରଣ, କୈଳାସ ଚନ୍ଦ୍ର ବେହେରା ଓ ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଶେଷରେ ଅଶୋକ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
