ବାରିପଦା: ବାରିପଦା ପୌରପାଳିକା ଅଞ୍ଚଳରେ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ରାଜ୍ୟର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ଼ ମହାପାତ୍ର ଦାରୋଗାଡାହି ଶ୍ମଶାନର ଉନ୍ନତିକରଣ କାର୍ଯ୍ୟ ସହ ପାଲବଣୀ ଲେଭେଲ୍ କ୍ରସିଂ ନିକଟରୁ ନିକୋ ଫ୍ୟାକ୍ଟ୍ରି ଦେଇ ଜାତୀୟ ରାଜପଥ-୧୮ ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଶୁଭ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି ଯେ, ଦୀର୍ଘବର୍ଷର ଜନଦାବିକୁ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା । ଭିତ୍ତିପ୍ରସ୍ତର ସ୍ଥାପନଠାରୁ ଆରମ୍ଭ କରି ନିର୍ମାଣ ଓ ଉଦ୍ଘାଟନ ପର୍ଯ୍ୟନ୍ତ କାର୍ଯ୍ୟ ଅଳ୍ପ ସମୟ ମଧ୍ୟରେ ସମ୍ପନ୍ନ ହୋଇଛି । ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟାର ସମାଧାନ ସହ ଅନ୍ୟାନ୍ୟ ମୌଳିକ ସୁବିଧାର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଦୀର୍ଘଦିନର ଜନଦାବି ପୂରଣ ସହ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ଓ ଭିତ୍ତିଭୂମିର ବିକାଶ ଦିଗରେ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇ ପାରିବ ବୋଲି ମନ୍ତ୍ରୀ ଡ଼ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି । ସେହିପରି ଶ୍ମଶାନର ଉନ୍ନତିକରଣ ନିଶ୍ଚିତ ଭାବରେ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବାରିପଦା ପୌରପାଳିକା ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ସମେତ ସମ୍ପୃକ୍ତ ୱାର୍ଡର କାଉନସିଲର ଓ ଅନ୍ୟାନ୍ୟ ଜନପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଫଳ କରିବାରେ ବାରିପଦା ପୌରପାଳିକର ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।
