Asansol Power Plant

ଆସନସୋଲ୍ ପାୱାର ପ୍ଲାଣ୍ଟରେ ନିର୍ମାଣାଧୀନ ଚିମିନି ଭୁଶୁଡ଼ି ୪ ମୃତ

ଦେଶ - ବିଦେଶ

କୋଲକତା : ପଶ୍ଚିମବଙ୍ଗର ଆସନସୋଲରେ ଏକ ପାୱାର ପ୍ଲାଣ୍ଟର ନିର୍ମାଣାଧୀନ ଚିମିନିର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ସହରର ଜାମୁଡ଼ିଆ ଅଞ୍ଚଳରେ ଥିବା ଶ୍ୟାମ୍ ଏସ୍ଇଏଲ୍ ଆଣ୍ଡ ପାୱାର ଲିମିଟେଡରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ ଶ୍ରମିକମାନେ କାମ କରୁଥିଲେ । ଜାମୁଡ଼ିଆ ବିଧାୟକ ବିଜନ ମୁଖାର୍ଜୀଙ୍କ ସୂଚନା ଅନୁସାରେ, ଚିମିନିର ଏକ ଅଂଶ ଭୁଶୁଡ଼ିବା ପରେ ୪ ଜଣ ଶ୍ରମିକ ଭଙ୍ଗା ଅଂଶ ତଳେ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ଅନ୍ୟ ଶ୍ରମିକମାନେ ଢାଞ୍ଚାଟି ଭୁଶୁଡ଼ିବା ଦେଖି ସେଠାରୁ ତୁରନ୍ତ ବାହାରି ଆସିବାରେ ସଫଳ ହୋଇଥିଲେ । କିନ୍ତୁ ୪ ଜଣଙ୍କ ଜୀବନ ବଞ୍ଚାଯାଇପାରିଲା ନାହିଁ । ଦୁର୍ଗାପୂଜାର ସପ୍ତମୀ ଦିନରେ ଏପରି ଦୁଃଖଦ ଘଟଣା ଘଟିଥିବାରୁ ସେ ଶୋକ ପ୍ରକାଶ କରିଛନ୍ତି । ନିର୍ମାଣ କାମ ସମୟରେ ସୁରକ୍ଷା ଉପକରଣ ବ୍ୟବହାର କରାଯାଉଥିଲା । ତେବେ ଚିମିନିର ଅଂଶ କେଉଁ କାରଣରୁ ଭୁଶୁଡ଼ିଲା, ତାହା ଜାଣିବା ପାଇଁ ତଦନ୍ତ କରାଯିବ । ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ । ସୂଚନାଯୋଗ୍ୟ, କୋଲକାତା ଚୋରବାଗାନର ଏକ ଦୁର୍ଗାପୂଜା ମଣ୍ଡପରେ ମଧ୍ୟ ଦଳାଚକଟା ଘଟି ୧୯ ଜଣଙ୍କ ଜୀବନ ଚାଲିଯାଇଛି । ପଶ୍ଚିମବଙ୍ଗରେ ଦୁର୍ଗାପୂଜା ସମୟରେ.ଘଟିଥିବା ଏହି ଦୁଇଟି ଅଘଟଣ ଶୋକର ଛାୟା ଖେଳାଇ ଦେଇଛି ।