ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଗ୍ୱାଲିଅର ଶୀତଳା ମାତା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭକ୍ତଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ୧୩ ମୃତ ଓ ୨୦ରୁ ଅଧିକ ଆହତ। ପୋଲିସ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର କାନ୍ଥରେ ପିଟିହୋଇ ଓଲଟିଲା ଧାନ ବୋଝେଇ ଟ୍ରକ୍ । ନବରାତ୍ରୀ ଦର୍ଶନ ବେଳେ ଘଟିଲା ଅଘଟଣ । ଶୀତଳା ମାତା ମନ୍ଦିର ନିକଟରେ ଶନିବାର ବିଳମ୍ବିତ ରାତିରେ ଏହି ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି ।
ନବରାତ୍ରୀ ଅବସରରେ ମା’ଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରକୁ ଏକ ଦ୍ରୁତଗାମୀ ଟ୍ରକ୍ ମାଡ଼ିଯିବା ଫଳରେ ୧୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତାହତଙ୍କ ମଧ୍ୟରେ ମହିଳା, ଶିଶୁ ଏବଂ ଘଟଣାସ୍ଥଳରେ କାର୍ଯ୍ୟରତ ଦୁଇ ଜଣ ପୋଲିସ କର୍ମଚାରୀ ସାମିଲ ଅଛନ୍ତି । ରାତି ପ୍ରାୟ ୧ଟାରୁ ୧ଟା ୩୦ ମଧ୍ୟରେ ଏହି ଘଟଣା ଘଟିଛି । ଯେଉଁ ରାସ୍ତାରେ ଦୁର୍ଘଟଣା ହୋଇଛି, ସେହି ରାସ୍ତାଟି ଏକ ଢାଲୁଆ ଘାଟି ବିଶିଷ୍ଟ ଅଞ୍ଚଳ ହୋଇଥିବାରୁ ଏଠାରେ ଭାରୀ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା । ତେବେ ଟ୍ରକ୍ ଟି ଘାଟି ରାସ୍ତାରେ ନିଜର ଭାରସାମ୍ୟ ହରାଇ ବେପରୁଆ ଭାବେ ଆଗକୁ ମାଡ଼ି ଆସିଥିଲା ।
ପୋଲିସ ଦ୍ୱାରା ଲଗାଯାଇଥିବା ସୁରକ୍ଷା ବ୍ୟାରିକେଡ୍ ଏବଂ ଷ୍ଟପର୍ କୁ ଭାଙ୍ଗି ଟ୍ରକ୍ ଟି ରାସ୍ତା କଡ଼ରେ ଚାଲି ଚାଲି ଯାଉଥିବା ଭକ୍ତ ଓ ଅସ୍ଥାୟୀ ଦୋକାନଗୁଡ଼ିକ ଉପରକୁ ମାଡ଼ି ଯାଇଥିଲା । ଏହାପରେ ମନ୍ଦିରର ବାହ୍ୟ ଫାଟକ ଓ କାନ୍ଥରେ ଶକ୍ତ ଧକ୍କା ଦେଇ ଟ୍ରକ୍ ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଫଳରେ ଅନେକ ଶ୍ରଦ୍ଧାଳୁ ଟ୍ରକ୍ ଓ ଧାନ ବସ୍ତା ତଳେ ଚାପି ହୋଇ ରହିଯାଇଥିଲେ । ମନ୍ଦିର ପରିସରରେ ନବରାତ୍ରୀ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଅଚାନକ ଦୁର୍ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖୁସିର ପରିବେଶ ଶ୍ମଶାନରେ ପରିଣତ ହୋଇଥିଲା ଏବଂ ଅନେକ ଲୋକ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ।
ଖବର ପାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗ୍ୱାଲିଅରର ଜୟାରୋଗ୍ୟ ଚିକିତ୍ସାଳୟ ଏବଂ ଟ୍ରମା ସେଣ୍ଟରକୁ ପଠାଯାଇଥିଲା । ଗ୍ୱାଲିଅର ଏସ୍ ଏସ୍ ପି ଧର୍ମବୀର ସିଂହ ଓ ଜିଲ୍ଲାପାଳ ରୁଚିକା ଚୌହାନଙ୍କ ସୂଚନା ମୁତାବକ, ଆହତଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଡାକ୍ତରୀ ଟିମ୍ ସେମାନଙ୍କ ଜରୁରୀକାଳୀନ ଅସ୍ତ୍ରୋପଚାର ଓ ଚିକିତ୍ସା ଜାରି ରଖିଛନ୍ତି ।
ରାସ୍ତାରେ ଭାରୀ ଯାନ ଚଳାଚଳ ଉପରେ ରୋକ୍ ଥିବା ଏବଂ ପୋଲିସ ଚେକପୋଷ୍ଟ ଥିବା ସତ୍ତ୍ୱେ ଧାନ ବୋଝେଇ ଟ୍ରକ୍ କିପରି ସେହି ରାସ୍ତାରେ ପ୍ରବେଶ କଲା, ତାହା ଉପରେ ଜିଲ୍ଲାପାଳ ରୁଚିକା ଚୌହାନ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବିରୋଧରେ ମାମଲା ରୁଜୁ କରି ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
