ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ପି ସି ପୁର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ସି ଆର ସି ସି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅନୁଜା ମାଧୁରୀ ଦାସ ଉଦଘାଟନ କରିବା ସହ ସୁରଭି କାର୍ଯ୍ୟକ୍ରମ ଶିଶୁ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ଦିଗରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ କମଳାନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମି ଦେବୀ ସାୟାନ ଓ ରାଖାଲଗୋପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତିମା ରାଣୀ ଦାଶ ଉପସ୍ଥିତ ଥିଲେ I
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକୁମାର ରାଉତ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଓ ଏଲ ଆଇ ସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ I ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ୫ଟି ପ୍ରାଥମିକ, ୫ଟି ଉଚ୍ଚ ପ୍ରାଥମିକ, ୨ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ବିଭିନ୍ନ ବିଦ୍ୟାଳୟରୁ ୧ମ ସ୍ଥାନ ଅଧିକାର କରି ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ସଂଗୀତ, ହସ୍ତାକ୍ଷର, ସୃଜନଶୀଳ ଲିଖନ, ଚିତ୍ରାଙ୍କନ, କୁଇଜ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଜୁନିୟର ଓ ସିନିୟର ବିଭାଗର ବିଭିନ୍ନ ପ୍ରତିଯୋଗିତାରେ ୧ମ ସ୍ଥାନ ଅଧିକାର କରିଥିବା ୨୫ ଜଣ ଓ ଦଳଗତ ନୃତ୍ୟରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧ମ ସ୍ଥାନ ଅଧିକାର କରି ବ୍ଲକସ୍ତରୀୟ ସୁରଭିକୁ ମନୋନୀତ ହୋଇଛନ୍ତି I ଶିକ୍ଷକ ଗଣେଶ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
