ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ ମଙ୍ଗଳବାର ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଏହି ମର୍ମରେ ଏକ ଚିଠି ଲେଖି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ମୁରୁଗାନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଭାରତ ମାତା ଓ ତାମିଲନାଡ଼ୁର ସେବା କରିବା ମୋ ଜୀବନର ସବୁଠୁ ମୂଲ୍ୟବାନ ମୁହୂର୍ତ୍ତ ।
ଜଣେ ଦିନ ମଜୁରିଆ ପୁଅକୁ ପ୍ରଧାନମନ୍ତ୍ରୀ ମୋଦିଜୀ କେନ୍ଦ୍ରମନ୍ତ୍ରୀ କରାଇବା ବୋଧୁହୁଏ ମୋର ପରମ ସୌଭାଗ୍ୟ ।’ ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସମ୍ପୂର୍ଣ୍ଣ ସମୟ ଏବେ ତାମିଲନାଡ଼ୁ ବିଜେପିକୁ ସଶକ୍ତ କରିବାରେ ଦେବେ । ଆସନ୍ତା ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ପହଂଚି ବିଜେପି ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ଏବେ ତାଙ୍କ ଗୁରୁ ଦାୟିତ୍ୱ ବୋଲି ଶ୍ରୀ ମୁରୁଗାନ ଉଲ୍ଲେଖ କରିଛନ୍ତି । ଶ୍ରୀ ମୁରୁଗାନ ୨୦୨୧ରେ ପ୍ରଥମ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୨୪ରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ ।
