Pipili News Photo 11 09 2026 5 768x503

ଛାତ୍ର ସଂସଦ ନିର୍ବାଚନ ନେଇ ପିପିଲିରେ ହିିଂସା: ସଭାପତି ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜ୍ୟ

ପିପିଲି: କଲେଜ ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରକୁ ନେଇ ରବିବାର ପିପିଲିରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଇନ୍ଦିରା ମଇଦାନଠାରେ ଭୋଟ୍‍ ପ୍ରଚାର ପାଇଁ ବୈଠକ ଚାଲିଥିବା ବେଳେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କଲେଜର ଛାତ୍ରସଂସଦ ନିର୍ବାଚନରେ ସଭାପତି ପଦବୀରେ ପ୍ରତିଦ୍ୱନ୍ଦିତା କରୁଥିବା ଆର୍ଯ୍ୟନ ମହାପାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଚିକିତ୍ସା ଲାଗି ତାଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାଇ, ନିର୍ବାଚନୀ ପ୍ରଚାର ପାଇଁ ଆର୍ଯ୍ୟନ ନିଜ ଗୋଷ୍ଠୀର ଅନ୍ୟ ପ୍ରାର୍ଥୀ ଓ ସହଯୋଗୀଙ୍କ ସହ ରବିବାର ପିପିଲି ଆସିଥିଲେ ।

ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ସେ ନିଜ କଲେଜରେ ପାଠ ପଢୁଥିବା ପିପିଲି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ବୈଠକ କରିଥିଲେ । ସେଠାରେ ଭୋଜିର ଆୟୋଜନ କରାଯାଇଥିଲା । ତେବେ, ଉକ୍ତ କଲେଜରେ ପାଠ ପଢୁଥିବା ପିପିଲି ପୌରାଞ୍ଚଳର ଜଣେ ଛାତ୍ର ନିଜର କେତେକ ସହଯୋଗୀଙ୍କ ସହ ସେଠାରେ ପହଞ୍ଚି ଆର୍ଯ୍ୟନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଘଟଣାକୁ ପ୍ରତିବାଦ କରିବା ସମୟରେ ସେଠାରେ ଉପସ୍ଥିତ ଅନ୍ୟମାନଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଫଳରେ ଆର୍ଯ୍ୟନଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଅନ୍ୟଜଣେ ଛାତ୍ରୀଙ୍କ ଓଠରେ ଗୁରୁତର ଆଘାତ ଲାଗିଥିଲା । ଏହି ଘଟଣା ପରେ ଆକ୍ରମଣକାରୀମାନେ ସେଠାରେ ଖସି ପଳାଇଥିଲେ । ଆର୍ଯ୍ୟନଙ୍କ ସମେତ ଅନ୍ୟ ଆହତ ଛାତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହି ଗଣ୍ଡଗୋଳରେ ରୋଷେଇ ଦାୟିତ୍ୱରେ ଥିବା ଜଣେ ଯୁବକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି । ପୁଲିସ ଜଣେ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଫେରାର ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।