Screenshot 2026 10 09

ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ: ରୋଗୀ ମୃତ, ୩ ଗୁରୁତର

ରାଜ୍ୟ

ଉଦଳା : ଉଦଳା ମେଡିକାଲରେ ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ । ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣରେ ରୋଗୀ ଜୀବନ୍ତ ଦଗ୍ଧ, ୩ ଆହତ । ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ପ୍ରସ୍ତୁତ ହେଉଥିବା ଏକ ଘରୋଇ ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ଫାଟି ଲାଗିଥିଲା ନିଆଁ । ଆଖିପିଛୁଳାକେ ସମଗ୍ର ଗାଡ଼ିଟି ହୁ ହୁ ହୋଇ ଜଳିଯିବା ଫଳରେ ଭିତରେ ଥିବା ରୋଗୀ ସୁଯୋଶ ବାରିକ ଜୀବନ୍ତ ଦଗ୍ଧ ହୋଇଥିଲେ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଓ ସହାୟକଙ୍କ ସମେତ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକ ଅସୁସ୍ଥ ହୋଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ପରିବାର ଲୋକେ ତାଙ୍କୁ ନେବା ପାଇଁ ଏକ ଘରୋଇ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ । ​ରୋଗୀଙ୍କୁ ଆମ୍ବୁଲାନ୍ସ ଭିତରେ ଶୁଆଇ ଅକ୍ସିଜେନ ମାସ୍କ ଲଗାଉଥିବା ସମୟରେ ଅଚାନକ ସିଲିଣ୍ଡରରୁ ନିଆଁ ବାହାରିଥିଲା । କିଛି ସମୟ ମଧ୍ୟରେ ହୋଇଥିଲା ବିସ୍ଫୋରଣ। ରୋଗୀଙ୍କୁ ବାହାର କରିବା ଅସମ୍ଭବ ହୋଇପଡ଼ିବାରୁ ସେ ଗାଡ଼ି ଭିତରେ ହିଁ ଜଳିପୋଡ଼ି ପ୍ରାଣ ହରାଇଥିଲେ । ​ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଏବଂ ନିଆଁ ଦେଖି ଡାକ୍ତରଖାନା ପରିସରରେ ଥିବା ରୋଗୀ, ସମ୍ପର୍କୀୟ ଓ କର୍ମଚାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ।

ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ​ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଜି ମୃତକ ସୁଯୋଶ ବାରିକଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଅନ୍ୟପକ୍ଷରେ, ଉଦଳା ଥାନା ପୋଲିସ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି । ଯେଉଁ ଘରୋଇ ଆମ୍ବୁଲାନ୍ସରେ ଏହି ଦୁର୍ଘଟଣା ଘଟିଲା, ତାହାର ଫିଟନେସ୍ ସାର୍ଟିଫିକେଟ୍, ପଲ୍ୟୁସନ, ବୀମା ଏବଂ ଗ୍ୟାସ ସିଲିଣ୍ଡର ପରୀକ୍ଷଣ ପ୍ରମାଣପତ୍ର ଆଦି କାଗଜପତ୍ର ବୈଧ ଥିଲା କି ନାହିଁ ତାହା ପୋଲିସ ଯାଞ୍ଚ କରୁଛି । ନିୟମ ଉଲ୍ଲଂଘନ କିମ୍ବା ଯାନ୍ତ୍ରିକ ତ୍ରୁଟି ଥିଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।